ନୂଆ ନୁହେଁ; ପୁରୁଣା ୭ଙ୍କୁ ଧରି କେଜ୍ରିଓ୍ଵାଲ ଗଢ଼ିବେ ନୂତନ ମନ୍ତ୍ରିମଣ୍ଡଳ; ତେବେ ଉପ ମୁଖ୍ୟମନ୍ତ୍ରୀ ପଦ ରହୁଛି ନା ନାହିଁ, ତା’ ଉପରେ ସମସ୍ତଙ୍କର ନଜର

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନ ମଧ୍ୟରୁ ୬୨ ଆସନରେ ବିଜୟଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି (ବୁଧବାର) ସକାଳେ ଅନୁଷ୍ଠିତ ହୋଇ ଯାଇଥିବା ଆପ୍‌ର ବିଧାୟକ ଦଳ ବୈଠକରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିବ ନିର୍ବାଚିତ ବିଧାୟକ ଦଳର ନେତାରୂପେ ପୁନର୍ବାର ସର୍ବସମତ୍ତି କ୍ରମେ ନିର୍ବାଚିତ କରାଯାଇଛି। ଫଳରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗାଦି ଅଳଂକୃତ କରିବାକୁ ଯାଉଥିବା ନିଶ୍ଚିତ ହୋଇଯାଇଛି। ଏବଂ ଆସନ୍ତା ୧୬ ତାରିଖ ଦିନ ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିଓ୍ଵାଲ ଶପଥ ଗ୍ରହଣ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଏପ୍ରକାର ପରିସ୍ଥତିିରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂତନ ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ବା କେଉଁ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। କିନ୍ତୁ, କେଜ୍ରିଓ୍ଵାଲ ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କ ନୂତନ ମନ୍ତ୍ରିମଣ୍ଡଳରେ କୌଣସି ନୂଆ ମୁହଁଙ୍କୁ ସାମିଲ କରାଯିବ ନାହିଁ। ପୂର୍ବ ମନ୍ତ୍ରିମଣ୍ଡଳରେ ତାଙ୍କ ସହ ଯେଉଁ ୭ ଜଣ ମନ୍ତ୍ରିଭାବେ ରହିଥିଲେ ନୂତନ ମନ୍ତ୍ରିମଣ୍ଡଳରେ ମଧ୍ୟ ସେଇମାନେ ହିଁ ମନ୍ତ୍ରୀ ଭାବେ ରହିବେ ଓ ୧୬ ତାରିଖ ଦିନ ତାଙ୍କ ସହ ଏକାଠି ଶପଥ ଗ୍ରହଣ କରିବେ। ହେଲେ, ମନ୍ତ୍ରିମାନଙ୍କର ବିଭାଗ ବଣ୍ଟନ ପରେ କରାଯିବ। ତେବେ, ଏଥର ମନ୍ତ୍ରିମଣ୍ଡଳରେ କେଜ୍ରିଓ୍ଵାଲ ଉପ ମୁଖ୍ୟମନ୍ତ୍ରୀ ପଦ ରଖିବେ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। କାରଣ, ପୂର୍ବ ମନ୍ତ୍ରିମଣ୍ଡଳରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଚଳିତ ନିର୍ବାଚନରେ ଯେପରି ହାରୁହାରୁ ଶେଷ ମୁହୂର୍ତ୍ତରେ ଜିତିଲେ, ତାକୁ ଦେଖିବା ପରେ ମନୀଷ ସିସୋଦିଆଙ୍କୁ ଏଥର ଉପ ମୁଖ୍ୟମନ୍ତ୍ରୀ ବଦଳରେ ଖାଲି ମନ୍ତ୍ରୀ କରି ରଖିବା ପାଇଁ କେଜ୍ରିଓ୍ଵାଲ ମନସ୍ଥ କରିଥିବା ଦଳୀୟ ମହଲରେ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର