ଭାରତ ବନ୍ଦକୁ ସମର୍ଥନ କଲା ନାହିଁ; କିନ୍ତୁ କୃଷି ଆଇନର ସଂଶୋଧନ ଦାବି କଲା ଆରଏସ୍ଏସ୍ ଅନୁବନ୍ଧିତ ଭାରତୀୟ କିଷାନ ସଂଘ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସ ସହିତ ଜଡିତ କିଷାନ ସଂଗଠନ ଭାରତୀୟ କିଷାନ ସଂଘ କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇନାହିଁ। ମାତ୍ର କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ସଂଶୋଧନ ଆବଶ୍ୟକ ରହିଛି ବୋଲି କହିଛି।

ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ନେଇ ଭାରତୀୟ କିଷାନ ସଂଘର ମହେଶ ଚୌଧୁରୀ କହିଛନ୍ତି ଯେ ଆମ ସଂଗଠନ ଭାରତ ବନ୍ଦକୁ ସମର୍ଥନ କରୁନାହିଁ। ହେଲେ ସରକାର ଯେଉଁ ରୂପରେ ନୂତନ କୃଷି ଆଇନ ଲାଗୁ କରିବାକୁ ଯାଉଛନ୍ତି ତାକୁ ବି ଆମ ସଂଗଠନ ସମର୍ଥନ କରୁନାହିଁ। ଏହି ଆଇନରେ କିଛି ସଂଶୋଧନ ପାଇଁ ଆମ ସଂଗଠନ ଦାବି କରୂୁଛି। ଏନେଇ ସଂଗଠନ ପକ୍ଷରୁ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା। ଯେଉଁଥରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବାକୁ ଦାବି କରା ଯାଇଥିଲା।

ଶ୍ରୀ ଚୌଧୁରୀ କହିଛନ୍ତି କି ଏହି ଚିଠି ପାଇବା ପରେ ସରକାର ଏହି ଆଇନରେ ସଂଶୋଧନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ହେଲେ ସରକାର ଏହି ଆଇନରେ ଆଣିଥିବା ପ୍ରାବଧାନ ‘ଏକ ବଜାର ଏକ ଦେଶ’କୁ ତାଙ୍କ ସଂଗଠନ ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛି। ଏହାଦ୍ୱାରା ତୃଣମୂଳ ସ୍ତରରେ କୃଷକମାନେ ଲାଭବାନ ହେବେ ବୋଲି ସେ କହିଛନ୍ତି। ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟମାନଙ୍କରେ କୃଷକମାନେ ଚଳାଇଥିବା ଆନ୍ଦୋଳନକୁ ଶେଷ କରିବାକୁ ସେ କୃଷକମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଲୋକ ଓ ଆନ୍ଦୋଳନ ସ୍ଥଳରେ ଚାଲିଥିବା ନାରା ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଛି ।

ଦିଲ୍ଲୀର ବିଭିନ୍ନ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା କୃଷକମାନଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର କୃଷକ ସାମିଲ ହୋଇଛନ୍ତି। ଏନେଇ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଥିଲେ ବି ଏଯାବତ କୌଣସି ନିସ୍କର୍ଷ ବାହାରିପାରି ନାହିଁ।

ସମ୍ବନ୍ଧିତ ଖବର