ଫରାସୀ ଲେଖିକା ଆନି ଅର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

ଷ୍ଟକ୍‌ହୋମ୍ : ଫରାସୀ ଲେଖିକା ଆନି ଅର୍ନକ୍ସଙ୍କୁ ଚଳିତବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ବିଡିସ ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି। ଅର୍ନକ୍ସଙ୍କ ଲେଖା ସାମାଜିକ ଅସମାନତା ବିରୋଧରେ ଲଢ଼େଇ ପାଇଁ ଆମ ‌ଆଖି ଖୋଲିଦେବାକୁ ଏକ ବଳିଷ୍ଠ ପ୍ରୟାସ। ଲେଖିକାଙ୍କ ନୈତିକ ସାହସ ତଥା ଚିନ୍ତନରେ ତୀକ୍ଷ୍ଣତା ନିମନ୍ତେ ତାଙ୍କୁ ନୋବେଲ ପୁରସ୍କାର ମିଳିଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି।

୮୨ ବର୍ଷୀୟା ଅର୍ନକ୍ସ ପ୍ରଥମେ ଆତ୍ମଜୀବନୀ ମୂଳକ ଉପନ୍ୟାସ ଲେଖା ଆରମ୍ଭ କରିଥିଲେ। ଫରାସୀ ଭାଷାରେ ସେ ହେଉଛନ୍ତି ସବୁଠାରୁ ଲୋକପ୍ରିୟ କଥାକାର। ସେ ପ୍ରାୟ ୩୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ଲିଖିତ ୨୦ରୁ ଅଧିକ ବହି ଭିତରୁ ଅଧିକାଂଶ ସଂକ୍ଷିପ୍ତ ଏବଂ ନିଜର ତଥା ଅନ୍ୟମାନଙ୍କ ଜୀବନରେ ଘଟିଥିବା ବାସ୍ତବ ଘଟଣାବଳି ଦ୍ବାରା ସମୃଦ୍ଧ। ସେଗୁଡ଼ିକ ମଧ୍ୟରେ ରହିଛି ନିଜ ଯୌନ ଜୀବନର ଘଟଣା, ଗର୍ଭପାତ, ଅସୁସ୍ଥତା ଏବଂ ପିତାମାତାଙ୍କ ମୃତ୍ୟୁ ଆଦି ପ୍ରସଙ୍ଗ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଭିନ୍ନରୂପରେ ଦେଖିଥିବା ଜୀବନ ତାଙ୍କ ଲେଖାରେ ପ୍ରତିଫଳିତ ହୋଇଛି। ଲିଙ୍ଗ, ଭାଷା ଓ ଶ୍ରେଣୀ ନେଇ ସମାଜରେ ଯେଉଁ ଅସମାନତା ରହିଛି, ତାହା ବିରୋଧରେ ସେ ମଧ୍ୟ ସ୍ବର ଉତ୍ତୋଳନ କରିଛନ୍ତି। ଏଥିସହିତ ପାଠ୍ୟପୁସ୍ତକ ଭାବେ ଫରାସୀଭାଷାର ଛାତ୍ରଛାତ୍ରୀମାନେ ଅନେକ ବର୍ଷଧରି ତାଙ୍କର ଲେଖାକୁ ପଢ଼ି ଆସୁଛନ୍ତି। କୁହାଯାଏ, ତାଙ୍କର ବହିଗୁଡ଼ିକ ଲକ୍ଷାଧିକ ସଂଖ୍ୟାରେ ବିକ୍ରି ହୋଇଥାଏ। ତାହା ହିଁ ତାଙ୍କ ଲୋକପ୍ରିୟତାର ଏକ ବଳିଷ୍ଠ ପ୍ରମାଣ।

ନର୍ମାଣ୍ଡିର ଯ୍ବେଟଟ ସହରରେ ୧୯୪୦ ମସିହାରେ ଜନ୍ମ ହୋଇଥିଲେ ଆନି ଅର୍ନକ୍ସ । ତାଙ୍କ ସାହିତ୍ୟ ଲେଖା ୧୯୭୪ ମସିହାରେ ‘ଲେସ୍ ଆର୍ମୟର୍ସ ଭାଇଡ୍‌ସ’ରୁ ଆରମ୍ଭ ହୋଇଥିଲା, ଯାହାର ଇଂରାଜୀ ରୂପାନ୍ତର ୧୯୯୦ ମସିହାରେ ‘କ୍ଳିନ୍‌ଡ ଆଉଟ୍’ ଶୀର୍ଷକରେ ପ୍ରକାଶ ପାଇଥିଲା। କିନ୍ତୁ ତାଙ୍କର ଚତୁର୍ଥ ପୁସ୍ତକ ଲା ପ୍ଲେସ୍ (୧୯୮୩; ଏ ମ୍ୟାନ୍‌ସ ପ୍ଲେସ୍, ୧୯୯୨) ତାଙ୍କୁ ଜଣେ ବିଶିଷ୍ଟ ସାହିତ୍ୟିକାର ମର୍ଯ୍ୟାଦା ଦେଇଥିଲା। ତାଙ୍କର ପ୍ରସିଦ୍ଧ କୃତିଗୁଡ଼ିକ ହେଉଛି: ଏ ୱମ୍ୟାନ୍ସ ଷ୍ଟୋରି, ଏ ମ୍ୟାନ୍‌ସ ପ୍ଲେସ, ସିମ୍ପଲ ପ୍ୟାସନ, କ୍ଲିନ୍‌ଡ ଆଉଟ ଓ ଏଲ୍‌’ଅକୁପେସନ। ତାଙ୍କର ସବୁଠାରୁ ଚର୍ଚ୍ଚିତ ପୁସ୍ତକ ହେଉଛି ‘ଦ ଇୟର୍ସ’ (ଲେସ ଆନିସ), ଯାହା ୨୦୦୮ ମସିହାରେ ପ୍ରକାଶ ପାଇଥିଲା। ଏହି ପୁସ୍ତକ ମ୍ୟାନ୍‌ବୁକର୍ସର ସର୍ଟଲିଷ୍ଟ୍‌ରେ ରହିଥିଲା। ଏଥିରେ ସେ ଦ୍ବିତୀୟ ବିଶ୍ବଯୁଦ୍ଧ ପରର ଫରାସୀ ସମାଜ ଓ ନିଜ ବିଷୟରେ ଲେଖିଛନ୍ତି। କିନ୍ତୁ , ଏଥିରେ ସେ ନିଜକୁ ପ୍ରଥମ ପୁରୁଷ (ମୁଁ) ବଦଳରେ ତୃତୀୟ ପୁରୁଷ (ସେ) ରୂପରେ ପ୍ରକାଶ କରିଛନ୍ତି। ଏହି ପୁସ୍ତକ ପାଇଁ ସେ ଅନେକ ପୁରସ୍କାର ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର