ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ ସାକ୍ଷାତ ପରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୨୦୧୯ ଲାଗି ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି।

ତେବେ ଅଭିଜିତ ବାନାର୍ଜୀଙ୍କ ସହ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ନୋବେଲ୍ ବିଜେତା ଅଭିଜିତ ବାନାର୍ଜୀଙ୍କ ସହିତ ସାକ୍ଷାତ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ମାନବଜାତିର ସଶକ୍ତିକରଣ ଲାଗି ତାଙ୍କର ଆଗ୍ରହ  ସ୍ପଷ୍ଟ ବାରି ହୋଇପଡ଼ିଲା। ଆମେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କଲୁ। ତାଙ୍କର ସଫଳତା ଲାଗି ଭାରତ ଗର୍ବିତ।

ନୋବେଲ ପାଇବାକୁ ମନୋନୀତ ହେବାପରେ ଅଭିଜିତ ବାନାର୍ଜୀ ପ୍ରଥମ ଥର ଭାରତ ଆସିଛନ୍ତି। ଆଜି ସେ କୋଲକାତା ଯିବେ ଏବଂ ସେଠାରେ ରହୁଥିବା ତାଙ୍କ ମା’ଙ୍କୁ ସାକ୍ଷାତ କରିବେ। ଅଭିଜିତ ବାନାର୍ଜୀ କୋଲକାତାରେ ଦୁଇ ଦିନ ରହିବେ ବୋଲି ଜଣାଯାଇଛି।

image source-oneindia

ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନ ସମୟରେ ସେ କଂଗ୍ରେସ ପାଇଁ ନ୍ୟାୟ ଯୋଜନା ପ୍ରସ୍ତୁତ କରୁଥିଲେ, ଯାହା ଅବଶ୍ୟ କଂଗ୍ରେସକୁ ବିଜୟୀ ହେବାରେ ସହାୟକ ହୋଇ ନ ଥିଲା। ଏ ସଂପର୍କରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ବି କହିଥିଲେ ଯେ ଅଭିଜିତ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ । କଂଗ୍ରେସ ପାଇଁ ନ୍ୟାୟ ଯୋଜନା ପ୍ରସ୍ତୁତିରେ ସହାୟତା କରିଥଲେ ବି ତାଙ୍କର ବିଚାରଧାରାକୁ ଭାରତବାସୀ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର