ମାର୍ଚ୍ଚ ସୁଦ୍ଧା ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ: ଏନ୍‌ଟିଏଜିଆଇ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୧୨-୧୪ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇପାରେ। ପ୍ରସିଦ୍ଧ ସରକାରୀ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା କେନ୍ଦ୍ର ସରକାରଙ୍କ ଏନ୍‌ଟିଏଜିଆଇ (ଟିକାକରଣ ପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ୍‌) ଅଧ୍ୟକ୍ଷ ଡାକ୍ତର ଏନ୍‌ କେ ଆରୋରା ଏହା କହିଛନ୍ତି। ବର୍ତ୍ତମାନ ଦେଶରେ ୧୫-୧୮ ବର୍ଷ ପିଲାଙ୍କର ଟିକାକରଣ ଚାଲିଛି। ଉକ୍ତ ବୟସ ବର୍ଗରେ ଟିକାକରଣ ଶେଷ ହୋଇଗଲେ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଡାକ୍ତର ଆରୋରା କହିଛନ୍ତି, ୧୫-୧୮ ବର୍ଷ ମଧ୍ୟରେ ଆକଳନ ହୋଇଥିବା ୭.୪ କୋଟି ପିଲାଙ୍କ ମଧ୍ୟରୁ ୩.୪୫ କୋଟି ପିଲା ପ୍ରଥମ ଡୋଜ୍‌ ଟିକା ନେଇ ସାରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ସକାଳେ ଏକ ଟ୍ବିଟ୍‌ କରି କହିଛନ୍ତି ଯେ ଦେଶରେ ୧୫-୧୮ ବର୍ଷ ମଧ୍ୟରେ ୩.୫ ‌କୋଟି ପିଲା ପ୍ରଥମ ଡୋଜ୍‌ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରି ୩ରେ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ଦେଶରେ ଟିକାକରଣ ୧୫୬.୭୬ କୋଟି ଟପିଯାଇଛି।

ସମ୍ବନ୍ଧିତ ଖବର