ଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୨’ର ଉଦ୍‌ଘାଟିତ, ପାଇକ ବିଦ୍ରୋହ ଉପରେ ହେବ ଗବେଷଣା: ଧର୍ମେନ୍ଦ୍ର

ସଂସଦ ଭବନରେ ସ୍ଥାପନ ହେବ ବକ୍ସିଙ୍କ ପ୍ରତିମୂର୍ତ୍ତୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଉ ମାତ୍ର ୧୪ ବର୍ଷ ପରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଓଡ଼ିଆ ଜାତିକୁ ବିଶ୍ୱରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ। ଓଡ଼ିଆର ଚରିତ୍ରରେ ସନ୍ଧି ଶବ୍ଦ ନାହିଁ, ସଂଘର୍ଷ କରିବା ହିଁ ଓଡ଼ିଆର ଚରିତ୍ର। ନୂଆଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ -୨୦୨୨’କୁ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ପଟ୍ଟଚିତ୍ର, ପଖାଳ, ହସ୍ତତନ୍ତ, ସମ୍ବଲପୁରୀ ଶାଢ଼ି ଓଡ଼ିଆଙ୍କ ପରିଚୟ । ଅତୀତରେ ନୌବାଣିଜ୍ୟ କଳା, ଅନନ୍ୟ କୀର୍ତ୍ତିରାଜି ଓ ସୁକ୍ଷ୍ମ କାରିଗରୀ ଦ୍ବାରା ଓଡ଼ିଆ ଜାତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଓଡ଼ିଆ ସାରସ୍ୱତ ସାଧକ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ମହିମା ଧର୍ମର ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ବିଚାର ଆଦର୍ଶକୁ ୟୁଜିସି ଦ୍ୱାରା ଏକ ପାଠ୍ୟକ୍ରମ ଭାବରେ ସ୍ୱୀକୃତି ଦିଆଯାଇଛି। ଏହା ଉପରେ ଅଧିକ ଅନୁସନ୍ଧାନ ପାଇଁ ଗବେଷଣା ଚେୟାର ମଧ୍ୟ ପ୍ରତିଷ୍ଠା କରାଯାଇଛି। ସେହି ଭଳି ଓଡ଼ିଆ ପରମ୍ପରା ଏବଂ ମୂଲ୍ୟବୋଧକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି।

ଓଡିଶାର ‘ପାଇକ ବିଦ୍ରୋହ’ ର ବୀରତ୍ୱପୂର୍ଣ୍ଣ ଘଟଣାକୁ ନେଇ ଜାତୀୟ ସ୍ତରରେ ଧାରାବାହିକ ‘ବିଦ୍ରୋହୀ’ ନାମରେ ପ୍ରସାରିତ ହେଉଛି । ଏକ ବୀର ଓ ଶୌର୍ଯ୍ୟମୟ ଜାତିର ଉତ୍ତର ପିଢ଼ି ପୂର୍ବପୁରୁଷଙ୍କ ଅଦମ୍ୟ ସାହସର ଗାଥାକୁ ନେଇ ନିଶ୍ଚୟ ଗୌରବାନ୍ୱିତ ହେବେ । ‘ବିଦ୍ରୋହୀ’ ଭଳି ଉଚ୍ଚକୋଟିର ଧାରାବାହିକକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରୁଥିବାରୁ ପ୍ରଯୋଜକ ସୁବ୍ରତ ସିହ୍ନା, କଳାକାର ଓ ସମସ୍ତ ସମସ୍ୟଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ଓ ଦେଶ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକତ୍ର କରିବା ସହ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଓଡ଼ିଆ ରାନ୍ଧଣା, ଗୌରବମୟ ଇତିହାସର ପ୍ରସାର ପାଇଁ ଓଡ଼ିଆ ସମାଜର ସାଂସ୍କୃତିକ ମହାକୁମ୍ଭ ‘ଓଡ଼ିଶା ପର୍ବ -୨୦୨୨’ ଆୟୋଜକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପଦ୍ମଭୂଷଣ ପାଇଁ ମନୋନୀତ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସଂସଦ ଭବନରେ ସ୍ଥାପନ ହେବ ବକ୍ସିଙ୍କ ପ୍ରତିମୂର୍ତ୍ତୀ
‘ପାଇକ ବିଦ୍ରୋହ’ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କି ନୁହେଁ, ତାହା ଉପରେ ଅନୁସନ୍ଧାନ ହେବ। ଏହାକୁ ପ୍ରମାଣସିଦ୍ଧ କରିବା ପାଇଁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ହେବ। ବିଗତ ୫ ଶହ ବର୍ଷ ମଧ୍ୟରେ ସନ୍ଥ କବି ଭୀମଭୋଇ ଓ ବକ୍‌ସି ଜଗବନ୍ଧୁଙ୍କ ଭଳି ଯେଉଁ ମହାନ ଚରିତ୍ରମାନେ ଓଡ଼ିଆ ଜାତିକୁ ଗୌରବାନ୍ବିତ କରିଛନ୍ତି, ସେମାନଙ୍କ ଉପରେ ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର୍‌) ଦ୍ବାରା ଗବେଷଣା କରାଯିବ। ‘ପାଇକ ବିଦ୍ରୋହ’ ଗବେଷଣା ଲବ୍‌ଧ ତଥ୍ୟ ହାସଲ କରାଯିବ। ଏହା ପରେ ୧୮୧୭ରେ ହୋଇଥିବା ‘ପାଇକ ବିଦ୍ରୋହ’ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ, ଏହାର ଗେଜେଟ୍‌ ବିଜ୍ଞପ୍ତି କରାଇଦିଅ ବୋଲି ଆମକୁ କାହାର ଦୟାର ପାତ୍ର ହେବାକୁ ପଡ଼ିବନାହିଁ। ଦିଲ୍ଲୀର କମାନୀ ସଭାଗାରରେ ‘ଓଡ଼ିଶା ପର୍ବ-୨୦୨୨’ର ଉଦ୍‌ଘାଟନ ଅବସର‌ରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଲେ, ୨୦୧୭ରେ ଦିଲ୍ଲୀର ବିଜ୍ଞାନ ଭବନରେ ବକ୍ସି ଜଗବନ୍ଧୁଙ୍କ ୨୦୦ ବର୍ଷ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ‌ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେଇଥିଲେ। ଭାଷଣରେ ସ୍ବର୍ଗତ ମୁଖାର୍ଜୀ କହିଥିଲେ, ୧୮୧୭ ଭାରତବର୍ଷର ଗୋଟିଏ ଅତ୍ୟନ୍ତ ସଂଘର୍ଷର ସମୟ ଥିଲା। ଏହା ହୁଏତ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ହେଇପାରେ। ଏହାର ଅନୁସନ୍ଧାନ ସହ ଏହାକୁ ପ୍ରମାଣିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ତାଙ୍କ ସୂଚନା ହେଲା, ‘ବିଦ୍ରୋହୀ’ ଧାରାବାହିକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି। ଶ୍ରୀ ଶାହ ଏହି ଧାରାବାହିକ ଦେଖିଲା ପରେ ନବ ନିର୍ମିତ ସଂସଦ‌ରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ରାଜି ହୋଇଛନ୍ତି। ଯିଏ ଯେ‌ତେବେଳେ ଇତିହାସକୁ ଯେଉଁ ଢଙ୍ଗରେ ଲେଖିଛି ତାକୁ ଗ୍ରହଣ କରାଯାଇଛି। ଏକବିଂଶ ଶତାବ୍ଦୀରେ ଇତିହାସକୁ ଠିକ କରିବାକୁ ପଡ଼ିବ ବୋଲି ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ।

ସମ୍ବନ୍ଧିତ ଖବର