ଓମ୍‌ ବିର୍ଲା ହେବେ ଲୋକସଭା ବାଚସ୍ପତି

୧୦ଟି ଦଳର ସମର୍ଥନ, କଂଗ୍ରେସ ବିରୋଧ କରିବ ନାହିଁ

ନୂଆଦିଲ୍ଲୀ: ରାଜସ୍ଥାନ କୋଟାର ସାଂସଦ ଓମ୍‌ ବିର୍ଲା ୧୭ତମ ଲୋକସଭାର ନୂତନ ବାଚସ୍ପତି ନିର୍ବାଚିତ ହେବାକୁ ଯାଉଛନ୍ତି। ଓମ୍‌ ବିର୍ଲାଙ୍କୁ ଏନ୍‌ଡିଏ ଲୋକସଭା ବାଚସ୍ପତି ପ୍ରାର୍ଥୀ କରିଛି ବୋଲି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ବିର୍ଲାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଜୁ ଜନତା ଦଳ, ଶିବସେନା, ଏନ୍‌ପିପି, ମିଜୋ ନ୍ୟାସନାଲ ଫ୍ରଣ୍ଟ, ଅକାଳି ଦଳ, ଲୋକ ଜନଶକ୍ତି ପାର୍ଟି, ୱାଇଏସ୍‌ଆର୍‌ସିପି, ଜେଡିୟୁ, ଏଆଇଏଡିଏମ୍‌କେ ଏବଂ ଅପନା ଦଳ ସମର୍ଥନ କରିଛନ୍ତି। କଂଗ୍ରେସ ଏହି ପ୍ରସ୍ତାବରେ ଦସ୍ତଖତ କରିନଥିଲେ ମଧ୍ୟ ବିର୍ଲାଙ୍କ ନାମକୁ ବିରୋଧ କରିବ ନାହିଁ ବୋଲି ଜଣାପଡ଼ିଛି । ପୂର୍ବରୁ ରାଜସ୍ଥାନରୁ କେହି ଲୋକସଭା ବାଚସ୍ପତି ହୋଇନଥିଲେ। ଦେଶକୁ ୯ ଜଣ ପ୍ରଧାନମନ୍ତ୍ରୀ ଦେଇଥିବା ଉତ୍ତର ପ୍ରଦେଶରୁ ମଧ୍ୟ ଏ ପର୍ଯ୍ୟନ୍ତ କେହି ଲୋକସଭା ବାଚସ୍ପତି ହୋଇନାହାନ୍ତି। କୋଟାରୁ ୨ ଥର ସାଂସଦ ନିର୍ବାଚିତ ହୋଇଥିବା ଓମ୍‌ ବିର୍ଲା ପୂର୍ବରୁ ୩ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ଏବଂ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା।

ବିର୍ଲାଙ୍କୁ ଚୟନ ପଛରେ ବିଜେପିର ରଣନୀତି
ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଓମ୍‌ ବିର୍ଲା ଅତ୍ୟନ୍ତ ଘନିଷ୍ଠ ହୋଇଥିବା ବେଳେ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ଉପସଭାପତି ଭାବେ ସେ ଦକ୍ଷତାର ସହ ତାଙ୍କ କାର୍ଯ୍ୟ ସଂପାଦନ କରିଛନ୍ତି। ୨୦୦୧ରେ ଗୁଜରାଟ ଭୂକମ୍ପ ସମୟରେ ବିର୍ଲା ତାଙ୍କର ସାଥୀ ସ୍ବେଚ୍ଛାସେବୀଙ୍କ ସହ ପୀଡ଼ିତଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ବିଜେପି ଏଥର ଲୋକସଭା ନିର୍ବାଚନରେ ରାଜସ୍ଥାନରୁ ୫୮.୪୭ ପ୍ରତିଶତ ଭୋଟ୍‌ ପାଇଛି ଏବଂ ରାଜ୍ୟରୁ ୩ ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଅନେକ ବରିଷ୍ଠ ନେତାଙ୍କୁ ଅଣଦେଖା କରି ସିଧାସଳଖ ବିର୍ଲାଙ୍କୁ ଚୟନ ପଛରେ ଦଳ ଦକ୍ଷତାକୁ ଅଧିକ ଗୁରୁତ୍ବ ଦେଉଥିବା ବାର୍ତ୍ତା ଦେଇଛି। ଦିଲ୍ଲୀର କ୍ଷମତା କରିଡର ସହିତ ସଂପୂର୍ଣ୍ଣ ଅଜଣା ଥିବା ନେତାମାନଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା ବେଳେ ବାଚସ୍ପତି ପଦ ପାଇଁ ବିର୍ଲାଙ୍କୁ ଚୟନ ମଧ୍ୟ ଅନେକଙ୍କୁ ଚକିତ କରିଛି। ଗତକାଲି ବିଜେପି ୫୮ ବର୍ଷୀୟ ଜେପି ନଡ୍ଡାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥି‌ଲା।

ସମ୍ବନ୍ଧିତ ଖବର