ଟ୍ୟାଙ୍କର କୁପରିଚାଳନା ପାଇଁ ଦିଲ୍ଲୀରେ ଅକ୍ସିଜେନ୍‌ ସଂକଟ, କେଜ୍ରିଵାଲ ସରକାରଙ୍କୁ ଦୋଷ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗି ଚାଲିଥିବା ବେଳେ ଅମ୍ଳଜାନ ଅଭାବକୁ କେନ୍ଦ୍ର କରି କେନ୍ଦ୍ର ସରକାର ଓ ଦିଲ୍ଲୀର କେଜ୍ରିଵାଲ ସରକାରଙ୍କ ମଧ୍ୟରେ କାଦୁଅ ଫିଙ୍ଗାପିଙ୍ଗି ଚର୍ଚ୍ଚାର ବିଷୟ ହୋଇଛି। ଦିଲ୍ଲୀକୁ ଚାହିଦା ତୁଳନାରେ ଅଳ୍ପ ପରିମାଣର ଅକ୍ସିଜେନ୍‌ ଯୋଗାଣ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଅଭିଯୋଗ ଆଣିଥିବା ବେଳେ ଏହାର ଯୋଗାଣ ଶୃଙ୍ଖଳକୁ ରାଜ୍ୟ ସରକାର ଠିକ୍‌ରେ ପରିଚାଳନା କରିପାରୁନାହାନ୍ତି ବୋଲି କେନ୍ଦ୍ର ସରକାର ଦୋଷ ଲଦିଛନ୍ତି। ସୂଚନା ଥାଉ କି, ଅକ୍ସିଜେନ୍‌ ଯୋଗାଣ ପାଇବା ପାଇଁ ଦିଲ୍ଲୀ ସରକାର ଆବଶ୍ୟକ କ୍ରାୟୋଜେନିକ୍‌ ଟ୍ୟାଙ୍କର ବ୍ୟବସ୍ଥା କରିପାରିନାହାନ୍ତି ବୋଲି ଶନିବାର ଦିଲ୍ଲୀ ହାଇକୋର୍ଟ କେଜ୍ରିଵାଲ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେଥିଯୋଗୁଁ ଦିଲ୍ଲୀରେ ଅମ୍ଳଜାନର ଅଭାବ ଦେଖାଦେବା ସହ ସଂଖ୍ୟାଧିକ କୋଭିଡ୍‌ ପୀଡ଼ିତଙ୍କ ଜୀବନ ଗଲା ବୋଲି ଅଦାଲତ କ୍ଷୋଭ ପ୍ରକାଶ କରିଥିଲେ।

ଏକ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ ଅକ୍ସିଜେନ୍‌ ଉତ୍ପାଦନ କାରଖାନା ନଥିବା ରାଜ୍ୟମାନଙ୍କ ଭିତରୁ କେବଳ ଦିଲ୍ଲୀକୁ ଛାଡ଼ି ଅନ୍ୟ ସମସ୍ତେ ଟ୍ୟାଙ୍କର ସୁବିଧା କରି ଅକ୍ସିଜେନ୍‌ ଆହରଣ କରିପାରିଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଦୈନିକ ୪୮୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ଦିଲ୍ଲୀ କେବଳ ୩୮୦ ମେଟ୍ରିକ୍‌ ଟନ୍‌ ପାଉଛି ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ତେବେ କେନ୍ଦ୍ର ସରକାର ଯୋଗାଣ ବ୍ୟବସ୍ଥା କରିବା ମାନେ ନୁହେଁ ଯେ ତୁମ ପାଖରେ ପହଞ୍ଚାଇବେ ବୋଲି ଅଦାଲତ ଟିପ୍ପଣୀ କରିବା ସହ ନିଜେ ପରିବହନ ସୁବିଧା କରି ଆବଶ୍ୟକ ପରିମାଣ ଅକ୍ସିଜେନ୍‌ ନେବାକୁ ତାଗିଦ କରିଥିଲେ।

ସମ୍ବନ୍ଧିତ ଖବର