‘ଜଳପରୀ’କୁ ଗୁଳି ମାରିଲା ପାକିସ୍ତାନ, ସମୁଦ୍ରରୁ ଭାରତୀୟ ବୋଟକୁ ଅପହରଣ କରିନେଲା ପାକ

ମୁମ୍ବାଇ: ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଏବେ ଜଳପଥରେ ମଧ୍ୟ ପାକିସ୍ତାନର ସୈତାନ ରୂପ ଦେଖିବାକୁ ମିଳିଛି । ରବିବାର ପାକିସ୍ତାନର ନୌସେନା ଗୋଟିଏ ଭାରତୀୟ ବୋଟ ସହ ୬ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରି ନେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ, ମଝି ସମୁଦ୍ରରେ ପାକିସ୍ତାନ ନୌସେନା ପକ୍ଷରୁ ଅନ୍ଧାଧୁନ ଗୁଳିଚାଳନା ହୋଇଥିଲା । ତେବେ ପାକିସ୍ତାନୀ ନୌସେନା ପକ୍ଷରୁ ହୋଇଥିବା ଆକ୍ରମଣର ଶିକାର ହୋଇଥିଲେ ନିରୀହ ମତ୍ସ୍ୟଜୀବୀ । ମଝି ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ପାଖରେ କୌଣସି ସୁରକ୍ଷିତ ସ୍ଥାନ ନଥିଲା ।

ଆଉ ସବୁଠୁ ବଡ କଥା ହେଲା, ପାକିସ୍ତାନ ନୌସେନାର ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ପାକିସ୍ତାନ ନୌସେନା ଯେଉଁ ବୋଟ ଉପରେ ଗୁଳି ଚାଳନା କରିଥିଲା ଉକ୍ତ ବୋଟର ନାମ ଜଳପରୀ ହୋଇଥିବାବେଳେ ଉକ୍ତ ବୋଟ ସମୁଦ୍ର ମଝିରେ ପଇଁତରା ମାରୁଥିଲା । କିନ୍ତୁ ବିନାକାରଣରେ ଅଚାନକ ବୋଟ ଉପରେ ଫାୟାରିଂ କରିଥିଲା ପାକିସ୍ତାନ ନୌସେନା ।

ଯାହାଫଳରେ ଜଣେ ମତ୍ସ୍ୟଜୀବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ପୁଲିସ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ସେହିଭଳି ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଯେତେବେଳେ ପାକିସ୍ତାନ ନୌସେନା ପକ୍ଷରୁ ଆକ୍ରମଣ ହୋଇଥିଲା, ସେତେବେଳେ ଭାରତୀୟ ସୀମା ମଧ୍ୟରେ ହିଁ ବୋଟ ରହିଥିଲା ।

ସମ୍ବନ୍ଧିତ ଖବର