ପାକିସ୍ତାନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ଜଣଙ୍କର ମୃତ୍ୟୁ

ରାୱଲପିଣ୍ଡି: ପାକିସ୍ତାନର ରାୱଲପିଣ୍ଡିରେ ମଙ୍ଗଳବାର ସକାଳେ ଏକ ପାକିସ୍ତାନୀ ସେନାର ବିମାନ ଦୁର୍ଘଟଣାର ଶିକାର ହୋଇଛି | ଏହି ଦୁର୍ଘଟଣାରେ ଅତିକମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି | ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି ତେବେ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି |

ମୃତକଙ୍କ ମଧ୍ୟରେ ୫ ଜଣ ସୈନିକ ଥିବାବେଳେ ଅନ୍ୟମାନେ ସେନା କର୍ମଚାରୀ ହୋଇଥିବାର ଜଣାପଡିଛି | ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ରାୱଲପିଣ୍ଡିର କାଲୁ ଗାଁ ନିକଟରେ ଜନବସତି ନିକଟରେ ଏହି ବିମାନଟି ଖସିପଡିଥିଲା | ବିମାନଟି ପଡିବା ପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଲାଗିଯାଇଥିଲା |

ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ବିମାନଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିୟୋଜିତ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା | ଦୁର୍ଘଟଣାକୁ ଦେଖି ରାୱଲପିଣ୍ଡିରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି | ତେବେ ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି ଯେ ସେନାର ଏହି ଛୋଟ ବିମାନରେ ଅଧିକ ସଂଖ୍ୟାରେ ଲୋକ ବସିଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହୋଇଥିବାର ଆଶଙ୍କା କରାଯାଉଛି | କିନ୍ତୁ ଦୁର୍ଘଟଣାର ସଠିକ କାରଣ ଜଣାପଡିନାହିଁ |

ସମ୍ବନ୍ଧିତ ଖବର