ଗୃହଯୁଦ୍ଧ ଆଡ଼କୁ ମୁହାଁଉଛି ପାକିସ୍ତାନ

ସେନା-ଆଇଏସ୍‌ଆଇ ବିରୋଧରେ ରାସ୍ତାକୁ ଓହ୍ଲାଇଲା ପିଟିଆଇ

ଇସ୍‌ଲାମାବାଦ : ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜୱା ଏବଂ ପିଟିଆଇ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ଏବେ ଆରପାର ଲଢ଼େଇରେ ପରିଣତ ହେଲାଣି। ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଇମ୍ରାନଙ୍କୁ ଖୋଲା ଧମକ ଦେଇଥିବା ବେଳେ ଏହାର ଜବାବରେ ଶୁକ୍ରବାର ଦିନ ଇମ୍ରାନ ହଜାର ହଜାର ସମର୍ଥକଙ୍କ ଗହଣରେ ‘ଲଙ୍ଗ୍‌ ମାର୍ଚ୍ଚ’ରେ ବାହାରିଛନ୍ତି। ଦେଶବ୍ୟାପୀ ସେନା ବିରୋଧୀ ଅଭିଯାନରେ ପିଟିଆଇ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଥିବାରୁ ଅଣାୟତ୍ତ ସ୍ଥିତି ଉପୁଜିଛି।

ଶେହବାଜ ସରିଫ୍‌ ସରକାର ପାକିସ୍ତାନକୁ ତଳିତଳାନ୍ତ କରିବା ସହ ନାଗରିକଙ୍କୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି ବୋଲି ଇମ୍ରାନ୍ କହିଛନ୍ତି ଏବଂ ଦେଶବାସୀ ପ୍ରକୃତ ସ୍ବାଧୀନତା ପାଇଁ ନିର୍ଣ୍ଣାୟକ ଲଢ଼େଇରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ସେନା ଏବଂ ଆଇଏସ୍‌ଆଇର କୌଣସି ଧମକକୁ ମୁଁ ଖାତିର କରୁନାହିଁ ଏବଂ ପ୍ରତିଟି ଅନ୍ୟାୟର ଜବାବ ଦେଶର ଜନସାଧାରଣ ଦେବେ ବୋଲି ଇମ୍ରାନ କହିଛନ୍ତି। ଏହାକୁ ନେଇ ପାକିସ୍ତାନ ରାଜନୀତି ସରଗରମ ରହିଥିବା ବେଳେ ଯେ କୌଣସି ମୁହୂର୍ତ୍ତରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ସେନା ଆଜି ସ୍ପଷ୍ଟ କରିଦେଇଛି ଯେ ପାକିସ୍ତାନରେ ଶୀଘ୍ର ନିର୍ବାଚନ ହେବନାହିଁ କି ନୂତନ ସେନାମୁଖ୍ୟଙ୍କ ନିଯୁକ୍ତି ଅଟକିବ ନାହିଁ।

ଶୀଘ୍ର ନିର୍ବାଚନ ହେବନାହିଁ କି ସେନାମୁଖ୍ୟ ନିଯୁକ୍ତି ଅଟକିବ ନାହିଁ: ସେନା
‘ଲଙ୍ଗ୍‌ ମାର୍ଚ୍ଚ’ରେ ଇମ୍ରାନ
ସେନା-ଆଇଏସ୍‌ଆଇକୁ ଜବାବ ଦେବା ପାଇଁ ନାଗରିକଙ୍କୁ ଇମ୍ରାନଙ୍କ ଆହ୍ବାନ
ଭାରତର ବିଦେଶ ନୀତିକୁ ପୁଣି ପ୍ରଶଂସା

ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଗତକାଲି ଆଇଏସ୍‌ଆଇ ମୁଖ୍ୟ ଲେଫ୍‌ଟନାଣ୍ଟ ଜେନେରାଲ ନଦୀମ ଅଂଜୁମ ସେନା ପ୍ରବକ୍ତାଙ୍କ ସହିତ ମିଶି ମିଳିତ ସାମ୍ବାଦିକ ସମ୍ମିଳନୀ କରିବା ସହ ଇମ୍ରାନ ଖାନ ସେନା ଓ ଗୁଇନ୍ଦା ସଂସ୍ଥାକୁ ବଦନାମ କରିବାକୁ ଅପଚେଷ୍ଟା ଚଳାଇଥିବା କହିଥିଲେ। କ୍ଷମତାରୁ ଯିବା ପୂର୍ବରୁ ଇମ୍ରାନ୍‌ ନିଜ ସରକାରକୁ ବଞ୍ଚାଇବା ପାଇଁ ବାଜୱାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବସର ବୟସସୀମା ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ ବୋଲି ଆଇଏସ୍‌ଆଇ ମୁଖ୍ୟ କହିଛନ୍ତି। ଏହାର ଜବାବରେ ଇମ୍ରାନ କହିଛନ୍ତି, ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାରେ ରହିଥିବା ସେନା ଅଧିକାରୀମାନେ ଅଧିକ କାଳ ଧରି ନିଜ ଅପକର୍ମକୁ ଲୁଚାଇ ପାରିବ ନାହିଁ। ଶୁକ୍ରବାର ଦିନ ଲାହୋରରୁ ଲଙ୍ଗ୍‌ ମାର୍ଚ୍ଚରେ ବାହାରିଥିବା ଇମ୍ରାନଙ୍କ ବିକ୍ଷୋଭ ପଟୁଆରକୁ ଭଣ୍ଡୁର କରିବା ପାଇଁ ୧୩ ହଜାର ପୁଲିସ ମୁତୟନ କରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଇମ୍ରାନ ଶୁକ୍ରବାର ଦିନ ଭାରତର ବିଦେଶ ନୀତିକୁ ପ୍ରଶଂସା କରିଛନ୍ତି। ଭାରତ ଏକ ପ୍ରକୃତ ସ୍ବାଧୀନ ରାଷ୍ଟ୍ର ଏବଂ ଏହାର ନୀତି ସ୍ପଷ୍ଟ ବୋଲି ସେ କହିଛନ୍ତି। ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର କୌଣସି ଚାପକୁ ଖାତିର ନକରି ଆମେରିକା ରୁଷ୍‌ ସହିତ ତା’ର କାରବାର ଯଥାରୀତି ଜାରି ରଖିବା ଏହାର ପ୍ରମାଣ ବୋଲି ଇମ୍ରାନ କହିଛନ୍ତି।

ସମ୍ବନ୍ଧିତ ଖବର