ଇମ୍ରାନଙ୍କୁ ଝଟ୍‌କା ଦେଲେ ପାକିସ୍ତାନ ଓକିଲ

ଜମ୍ମୁ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ: ଖାୱର କୁରେଶି

ଇସଲାମାବାଦ୍‌: କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନକୁ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ପ୍ରତିନିଧିତ୍ବ କରିଥିବା ଆଇନଜୀବୀ ଖାୱର କୁରେଶି ସ୍ବୀକାର କରିଛନ୍ତି ଯେ ଜମ୍ମୁ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ଲାହୋରରେ ଏକ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ସେ କହିଛନ୍ତି, ସାରା ବିଶ୍ବ ପାଇଁ କଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ପାକିସ୍ତାନ ଏହି ପ୍ରସଙ୍ଗରେ ବିଶ୍ବ ସମୁଦାୟରେ ଖୁବ୍‌ କମ୍‌ ସମର୍ଥନ ପାଇଛି। ସେହିପରି କଶ୍ମୀରରେ ଗଣହତ୍ୟା ହେଉଥିବା ନେଇ ପାକିସ୍ତାନ ‌ଯେଉଁ ଦାବି କରିଛି ତାକୁ ମଧ୍ୟ ପ୍ରମାଣ କରିବା‌ ଖୁବ୍‌ କଷ୍ଟଦାୟକ ବୋଲି ସେ କହିଛନ୍ତି। ତେବେ ଗୋଟିଏ ପ‌ଟେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଏବଂ ଧାରା ୩୭୦ ଉଚ୍ଛେଦ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ଦ୍ବାରସ୍ଥ ହେବ ବୋଲି ଧମକ ଦେଇଥିବାବେଳେ ଅନ୍ୟପକ୍ଷେ ପାକ୍‌ ଆଇନଜୀବୀ କୁରେଶିଙ୍କର ମନ୍ତବ୍ୟ ପାକିସ୍ତାନ ପାଇଁ ଖୁବ୍‌ ଲଜ୍ଜାଜନକ ହୋଇଛି। କୁରେଶି କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନରେ ସ୍ଥିତି ଯେଭଳି ଦିଶୁଛି ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ଠିକ୍‌ ସେମିତି ନାହିଁ। ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ କଶ୍ମୀରକୁ ସମର୍ଥନ ମିଳିନାହିଁ। ବିଭିନ୍ନ ସ୍ଥାନରେ ଲୋକମାନେ କଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବିପାରନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର