ବଡ଼ ଆକ୍ରମଣ ଯୋଜନା : ଏଲ୍‌ଓସି ନିକଟରେ ୭ ଲଞ୍ଚ୍‌ ପ୍ୟାଡ୍‌, ଆତଙ୍କବାଦୀ ଶିବିର ପୁନଃ ସକ୍ରିୟ, ୨୭୫ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଯେନତେନ ପ୍ରକାରେ ହିଂସା ଭିଆଇବା ପାଇଁ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଲଗାତାର ଷଡ଼ଯନ୍ତ୍ର ଜାରି ରଖିଛି। ଧାରା ୩୭୦ ହଟାଯିବା ପରେ କଶ୍ମୀରରେ ହିଂସା ପାଇଁ ଏ ଯାବତ ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରିବାରେ ସକ୍ଷମ ହୋଇଛି। ଗତ ଦୁଇ ଦିନ ଭିତରେ ଏଲ୍‌ଓସି ନିକ‌ଟରେ ପାକିସ୍ତାନ ଆତଙ୍କବାଦୀଙ୍କ ୭ଟି ଲଞ୍ଚ ପ୍ୟାଡ୍‌କୁ ଅଚାନକ ସକ୍ରିୟ କରିଛି ଏବଂ ପ୍ରାୟ ୨୭୫ ଆତଙ୍କବାଦୀଙ୍କୁ ଏବେ ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରାଇବାକୁ ତୟାର ରଖିଛି। ପୂର୍ବରୁ ଭାରତରେ ପଶିବାକୁ ସକ୍ଷମ ହୋଇଥିବା ଆତଙ୍କବାଦୀଙ୍କୁ ଏବେ ପାକିସ୍ତାନ ପିଓକେରେ ସ୍ଥାପିତ ଏଫ୍‌ଏମ୍‌ ଷ୍ଟେସନ୍‌ରୁ କୋଡ୍‌ ୱାର୍ଡ ପଠାଉଛି। ଅନ୍ୟପକ୍ଷରେ କଶ୍ମୀରର ଗୁରେଜ୍‌ ‌ସେକ୍ଟରରେ ୮୦ ଜଣ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ଥିବ‌ାବେଳେ ସେମାନଙ୍କ ରାସ୍ତା ସୁଗମ କରିବାକୁ ପାକିସ୍ତାନ ପ୍ରବଳ ଗୁଳିଗୋଳା ବର୍ଷା କରୁଛି। ସେହିଭଳି ମଚ୍ଛଲରେ ୬୦, କରନହରେ ୫୦, କେରନରେ ୪୦, ଉରିରେ ୨୦, ନୌଗାମ୍‌ରେ ୧୫ ଏବଂ ରାମପୁରରେ ୧୦ ଜଣ ଆତଙ୍କବାଦୀ ଡେରା ପକାଇ ରହିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ପାକିସ୍ତାନୀ ସେନା ଅହରହ ସୁରକ୍ଷା ଯୋଗାଇ ଚାଲିଛି।

ଫେବ୍ରୁଆରି ୧୪ରେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତର ପାଲଟା ଆକ୍ରମଣ ଭୟରେ ପାକିସ୍ତାନ ଏଲ୍‌ଓସି ନିକଟରେ ଥିବା ଏହାର ସମସ୍ତ ଆତଙ୍କବାଦୀ ଶିବିର ବନ୍ଦ କରିଦେଇଥିଲା। ବିଭିନ୍ନ ସାମରିକ ପ୍ରତିଷ୍ଠାନରେ ଆତଙ୍କବାଦୀଙ୍କୁ ନେଇ ସୁରକ୍ଷା ଦେଇଥିଲା। ଏବେ ଏହି ସବୁ ଶିବିର ଗୁଡ଼ିକୁ ପାକିସ୍ତାନ ପୁଣିଥରେ ସକ୍ରୀୟ କରିଛି ଏବଂ ଆତଙ୍କବାଦୀଙ୍କ ଲଞ୍ଚ୍‌ ପ୍ୟାଡ୍‌ ପ୍ରତିଷ୍ଠା କରୁଛି। ପାକିସ୍ତାନ ପ୍ରଥମେ ୧୯୯୦ରେ ଭାରତ ବିରୋଧରେ ବିଦେଶୀ ଆତଙ୍କବାଦୀଙ୍କୁ କଶ୍ମୀର ପଠାଉଥିଲା। ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ପାକିସ୍ତାନ ପଂଜାବ ଏବଂ ପିଓକେରୁ ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇଥିଲା। ଏବେ ପୁଣିଥରେ ପାକିସ୍ତାନ ଆଫ୍‌ଗାନ ଆତଙ୍କବାଦୀଙ୍କୁ ଜମ୍ମୁ କଶ୍ମୀର ପଠାଇ ହିଂସା ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି। ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଭାରତ ବିରୋଧରେ ହିଂସା ଏବଂ ପରମାଣୁ ଯୁଦ୍ଧ ଧମକ ଦେବା ସହ ସୀମାରେ ଉତ୍ତେଜନା ବଢ଼ାଇବାରେ ଲାଗିଛି।

ସମ୍ବନ୍ଧିତ ଖବର