ନୂଆଦିଲ୍ଲୀ : ସିିନ୍ଧୁନଦୀ ଜଳବଣ୍ଟନ ଚୁକ୍ତି ଅନୁଯାୟୀ ଚେନାବ ନଦୀ ଅବବାହିକା ରେ ଭାରତ ପକ୍ଷରୁ ନିର୍ମାଣାଧୀନ ୧୦୦୦ ମେଗାଓ୍ଵାଟର ପାକଲ ଡୁଲ ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ପାକ ବିଶେଷଜ୍ଞ ଟିମ । ଏହି ପ୍ରକଳ୍ପଟି ଜାମ୍ମୁ ଓ କାଶ୍ମୀରର କିସ୍ତଓ୍ଵାର ଜିଲ୍ଲାରେ ଅବସ୍ଥିତ ।
ଏହି ପାକିସ୍ତାନି ଟିମରେ ପାକିସ୍ତାନ ସିନ୍ଧୁ କମିଶନର ସୟଦ ମହମ୍ମଦ ମେୟର ଅଲ୍ଲୀ ଶାହ ଓ ତାଙ୍କର ଦୁଇ ଜଣ ପରାମର୍ଶଦାତା ରହିଥିଲେ । ପ୍ରକଳ୍ପଟି ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ହୋଇଛି କି ନା ତାହା ସେମାନେ ଯାଞ୍ଚ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଅଗଷ୍ଟ ମାସରେ ପାକିସ୍ତାନର ଲାହୋରଠାରେ ସ୍ଥାୟୀ ସିନ୍ଧୁ ନଦୀ ଆୟୋଗର ବସିଥିବା ବୈଠକରେ ଉଭୟ ପକ୍ଷର ପ୍ରତିନିଧିମଣ୍ଡଳକୁ ପରସ୍ପରର ପ୍ରକଳ୍ପ ଅଂଚଳ ପରିଦର୍ଶନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସତ୍ତ୍ୱେ ଭାରତ ପାକ ପ୍ରତିନିଧିମଣ୍ଡଳକୁ ଚେନାବ ନଦୀ ଉପରେ ନିର୍ମିତ ଡ୍ୟାମ ପରିଦର୍ଶନ ପାଇଁ ଅନୁମତି ଦେଉନାହିଁ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଭାରତ ଏହାକୁ ଅସ୍ୱୀକାର କରଥିଲା । ତେବେ ଜାମ୍ମୁ ଓ କାଶ୍ମୀରର ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଟିକିଏ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଥିଲା ।