ନଡା ନ ଜାଳିଲେ ମୁଁ ଏକ ଲକ୍ଷ ଟଙ୍କା ଦେବି: ପଞ୍ଜାବ ବାଚସ୍ପତି

ଚଣ୍ଡୀଗଡ଼: ଦୀପାବଳିରେ ବାଣ ଫୁଟାଯିବା ପରେ ଦେଶର ଅନେକ ରାଜ୍ୟରେ ବାୟୁ ଗୁଣବତ୍ତା ଖରାପ ହୋଇଯାଇଛି। ତେବେ କେବଳ ବାଣଫୁଟା ନୁହେଁ ବରଂ ଅଧିକାଂଶ ରାଜ୍ୟରେ ବର୍ତ୍ତମାନ ଅମଳ ପରେ ବଳିଯାଇଥିବା ନଡାକୁ ଚାଷୀ ପୋଡିଦେଉଥିବାରୁ ଏହି ଧୂଆଁ ଯୋଗୁଁ ମଧ୍ୟ ପ୍ରଦୂଷଣ ବଢ଼ିଯାଇଥାଏ | କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ପଞ୍ଜାବର ଲୁଧିଆନାରେ ସକାଳ ୧୦:୧୦ ରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୬୯ ରେକର୍ଡ କରିଛି। ଆଉ ଏହାକୁ ନେଇ ପଞ୍ଜାବ ବିଧାନସଭା ବାଚସ୍ପତି କୁଲତର ସିଂ ସନ୍ଧବା ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ନିର୍ବାଚନମଣ୍ଡଳୀ କୋଟକାପୁରାର କୌଣସି ପଞ୍ଚାୟତ ପ୍ରମାଣ କରେ ଯେ ତାଙ୍କ ପଂଚାୟତ ଅଧୀନରେ ଆସୁଥିବା ଅଂଚଳରେ କେହି ନଡା ପୋଡିନାହାନ୍ତି ତେବେ ମୁଁ ମୋର ନିଜ ତରଫରୁ ତାଙ୍କୁ ୧ ଲକ୍ଷ ଟଙ୍କା ଅନୁଦାନ ଦେବି। କୁଲତର ସିଂ କୋଟକାପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଆମ୍ ଆଦମୀ ଦଳର ବିଧାୟକ ଥିବାବେଳେ ସେ କହିଛନ୍ତି ଯେ ଧାନ ନଡା ଜାଳିବା ପରିବେଶ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ। ଏହା ମଧ୍ୟ ଜମିର ଉର୍ବରତା ଉପରେ ପ୍ରଭାବ ପକାଇଥାଏ |

ସେ କହିଛନ୍ତି ଯେ ପଞ୍ଜାବର ଲୋକମାନେ ପ୍ରକୃତିକୁ ଅଧିକ ଭଲ ପାଆନ୍ତି। ଏଭଳି ପରିସ୍ଥିତିରେ ଆମକୁ ନଡା ଜାଳିବା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ଆବଶ୍ୟକ | ସୂଚନା ଥାଉ କି ଯେ, ଦୀପାବଳି ପରଦିନ, ଅମୃତସର, ମଣ୍ଡି ଗୋବିନ୍ଦଗଡ, ପଟିଆଲା, ଜଳନ୍ଧର ଏବଂ ଖାନ୍ନାରେ ଏକ୍ୟୁଆଇ ଯଥାକ୍ରମେ ୨୪୯, ୨୦୮, ୨୨୫, ୨୬୦ ଏବଂ ୨୧୨ ରେକର୍ଡ କରାଯାଇଥିଲା | ଏସବୁ ଅଂଚଳର ବାୟୁମଣ୍ଡଳ ଖରାପ ବର୍ଗରେ ଅଛନ୍ତି | ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ରହିଲେ ଭଲ, ୫୧ରୁ ୧୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ ୪୦୧ରୁ ୫୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ଗୁରୁତର ବୋଲି ବିବେଚନା କରାଯାଏ |

ସମ୍ବନ୍ଧିତ ଖବର