ସଂସ୍କୃତି ମନ୍ତ୍ରାଳୟ ପୁସ୍ତିକାରେ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି

ନୂଆଦିଲ୍ଲୀ : ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦେଶର ପ୍ରମୁଖ ୨୦ ଜଣ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କୁ ନେଇ ‘ଇଣ୍ଡିଆସ୍‌ ୱମେନ ଅନସଙ୍ଗ୍‌ ହିରୋଜ୍’ ନାମକ ଏକ ପୁସ୍ତିକା ପ୍ରକାଶ କରାଯାଇଛି। ପୁସ୍ତିକାରେ ଓଡ଼ିଶାର ଏକମାତ୍ର ମହିଳା ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପାର୍ବତୀ ଗିରି ଓଡ଼ିଶାର ପ୍ରଖ୍ୟାତ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅନ୍ୟତମ ବୋଲି ପୁସ୍ତିକାରେ କୁହାଯାଇଛି।

ପୁସ୍ତିକାରେ ଉଲ୍ଲେଖ କରାଯାଇଛି, ଲୋକମାନଙ୍କ ଉତ୍‌ଥାନ ପାଇଁ ପାର୍ବତୀ ଗିରି ବହୁ କାର୍ଯ୍ୟ କରିଛନ୍ତି। ଏଥିପାଇଁ ତାଙ୍କୁ ପଶ୍ଚିମ ଓଡ଼ିଶାର ମଦର ଟେରେସା ବୋଲି କୁହାଯାଇଥାଏ। ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଦେଶର ୭୫ ଜଣ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ସଂପର୍କରେ ତିନିଟି ସଂସ୍କରଣରେ ପୁସ୍ତିକା ପ୍ରକାଶ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ୨୦ ଜଣ ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସଂପର୍କରେ ବର୍ଣ୍ଣନା କରାଯାଇଛି। ଦ୍ବିତୀୟ ସଂସ୍କରଣରେ ୨୫ ଜଣ ଏବଂ ତୃତୀୟ ସଂସ୍କରଣରେ ୩୦ ଜଣ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନକୁ ପ୍ରକାଶ କରାଯିବ। ‘କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ’ ଓ ‘ଅମର ଚିତ୍ର କଥା’ର ମିଳିତ ସହଯୋଗରେ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ସଂପର୍କରେ ପୁସ୍ତିକା ପ୍ରକାଶ କରାଯାଉଛି। ପ୍ରଥମ ସଂସ୍କରଣ ପୁସ୍ତିକାକୁ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର