୩୭ ହଜାର ଫୁଟ୍‌ ଉଚ୍ଚରେ ବିମାନ: ପାଇଲଟ୍‌ ଶୋଇ ପଡ଼ିଲେ

ନୂଆଦିଲ୍ଲୀ : ସୁଦାନରୁ ଇଥିଓପିଆକୁ ଉଡ଼ାଣ କରୁଥିବା ଏକ ବିମାନର ୨ ଜଣ ପାଇଲଟ୍‌ ଅତ୍ୟନ୍ତ ଦାୟିତ୍ବହୀନ ଭାବେ ବିମାନ ଅବତରଣ ସମୟରେ ଶୋଇ ପଡ଼ିଥିଲେ। ବିମାନ ଅବତରଣ ସମୟରେ ବିମାନଟି ସମୁଦ୍ର ପତ୍ତନଠାରୁ ୩୭ ହଜାର ଫୁଟ୍‌ ଉଚ୍ଚତାରେ ଥିଲା। ପାଇଲଟ୍‌ ଶୋଇପଡ଼ିଥିବାରୁ ବିମାନ ଅବତରଣ ହୋଇପାରିନଥିଲା। ଅବଶ୍ୟ ପରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। କିନ୍ତୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି।

ଇଟି ୩୪୩ ବିମାନ ଆଦ୍ଦିସ ଆବାବା ବିମାନ ବନ୍ଦରରେ ଅବତରଣ କରିଥାନ୍ତା। ଏଫଏମ୍‌ସି (ଫ୍ଲାଇଟ୍‌ ମ୍ୟାନେଜମେଣ୍ଟ କମ୍ପ୍ୟୁଟର)ର ରୁଟ୍‌ ପ୍ଲାନ୍‌କୁ ଅନୁକରଣ କରି ପାଇଲଟ୍‌ ଉଡ଼ାଣ କରୁଥିଲେ। କିନ୍ତୁ ଅବତରଣ ସମୟରେ ପାଇଲଟ୍‌ ବିମାନକୁ ତଳକୁ ନଆଣି ୩୭ ହଜାର ଫୁଟ୍‌ ଉଚ୍ଚତାରେ ଉଡ଼ାଇ ଥିଲେ। ପାଇଲଟ୍‌ ଶୋଇଥିବା ସମୟରେ ବିମାନଟି ଅଟୋପାଇଲଟ ମୋଡ୍‌କୁ ପଳାଇଥିଲା। ଫଳରେ ଏହା ଅବତରଣ କରିବାପାଇଁ ଆଉ ତଳକୁ ଖସି ନଥିଲା। ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲର୍‌ସ) ବାରମ୍ବାର ପାଇଲଟ୍‌ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ତେବେ ବିମାନଟି ରନ୍‌ୱେ ଅତିକ୍ରମ କରି ପଳାଇବାରୁ ଅଟୋ ପାଇଲଟ୍‌ ମୋଡ୍‌ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ଏକ ଆଲାର୍ମ ବାଜିଲା। ଏହି ଆଲାର୍ମ ଶବ୍ଦରେ ପାଇଲଟ୍‌ ୨ ଜଣ ଶେଷରେ ଉଠିପଡ଼ିଲେ। ସେମାନେ ତୁରନ୍ତ ବିମାନକୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲେ। ରନ୍‌ୱେ ଉପରେ ପ୍ରାୟ ୨୫ ମିନିଟ୍‌ ପର୍ଯ୍ୟନ୍ତ ଚକ୍କର କାଟିବାପରେ ଶେଷରେ ପାଇଲଟ୍‌ ବିମାନ ଅବତରଣ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର