ପ୍ଲାଜ୍‌ମା ଟ୍ରାନ୍ସଫ୍ୟୁଜ୍‌ ପରେ ୩ ଗୁରୁତର ଭାରତୀୟ-ଆମେରିକୀୟଙ୍କ ସ୍ଥିତି ସୁଧୁରୁଛି

ନ୍ୟୁୟର୍କ, : କରୋନାରୁ ସୁସ୍ଥ ହୋଇଥିବା ‌‌ରୋଗୀଙ୍କ ପ୍ଲାଜ୍‌ମା ଟ୍ରାନ୍‌ସଫ୍ୟୁଜ୍‌ କରି ଆମେରିକାରେ ଗୁରୁତର ଥିବା ୩ ଜଣ ଭାରତୀୟ-ଆମେରିକୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିଛି। ରୋଗୀଙ୍କୁ ବଞ୍ଚାଇବାପାଇଁ ଏହା ଏକ ନୂଆ ତରିକା । ଟେକ୍ସାସ୍‌ରେ ଡାକ୍ତରମାନେ ଏବେ ପୁରୁଣା ଟେକ୍‌ନିକ୍ ଦ୍ବାରା ନୂଆ ଉପାୟରେ ଚିକିତ୍ସା କରୁଛନ୍ତି। ଏହିଭଳି ଏକ ଉପାୟ ହେଉଛି ପ୍ଲାଜ୍‌ମା ଥେରାପି। ଏହ‌ା ହେଉଛି ଏକ ପ୍ରକ୍ରିୟା‌ ଯାହାଦ୍ବାରା କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ଜଣେ ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା ନେଇ ଜଣେ ଅତ୍ୟନ୍ତ ଗୁରୁତର ରୋଗୀଙ୍କ ଶରୀରରେ ଦିଆଯିବ। ଏହାଦ୍ବାରା ରୋଗ ମୁକ୍ତ୍ ହୋଇଥିବା ବ୍ୟକ୍ତିଙ୍କ ବ୍ଲଡ୍‌ରେ ଯେଉଁ ନିର୍ଦ୍ଦିଷ୍ଟ ଏଣ୍ଟିବଡି ଥିବ ତାହ‌ା ସଂକ୍ରମଣ ସହ ମୁକାବିଲା କରିବାରେ ସହଯୋଗ କରିବ। ତେଣୁ କରୋନା ଭାଇରସ୍‌ ପାଇଁ କୌଣସି ଟିକା ନଥିବାବେଳେ ଡାକ୍ତର ଏବଂ ବୈଜ୍ଞାନିକମାନେ ପ୍ଲାଜ୍‌ମା ଥେରାପିକୁ ଗୁରୁତ୍ବ ଦେଇଛନ୍ତି। ପୂର୍ବ ମହାମାରୀଗୁଡ଼ିକରେ ମଧ୍ୟ ଏହା ଫଳପ୍ରଦ ହୋଇଛି। ଏଥିରେ ବିପଦ ଖୁବ୍‌ କମ୍‌ ରହିଛି। ‌ତେଣୁ ଆମେରିକାରେ ଏବେ ଡାକ୍ତରମାନେ ପ୍ଲାଜ୍‌ମା ଥେରାପିକୁ ଗୁରୁତ୍ବ ଦେଇଛନ୍ତି। ହଷ୍ଟନ୍‌ରେ ୫ ଜଣ ରୋଗୀଙ୍କ ଠାରେ ପ୍ଲାଜ୍‌ମା ଟ୍ରାନ୍‌ସଫ୍ୟୁଜ୍‌ କରି ଚିକିତ୍ସା କରାଯାଇଛି। ଏନେଇ ଆହୁରି ଅଧିକ ଗବେଷଣା ମଧ୍ୟ ଜାରି ରହିଛି। ତେବେ ହଷ୍ଟନ୍‌ର ସେଣ୍ଟ୍‌ ଲ୍ୟୁକ୍‌ସ ମେଡିକାଲ ସେଣ୍ଟର୍‌ରେ ୩ ଜଣ ଭାରତୀୟ -ଆମେରିକୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ସେମାନଙ୍କୁ ପ୍ଲାଜ୍‌ମା ଦ୍ବାରା ଚିକିତ୍ସା କରାଯାଇଛି। ପ୍ଲାଜ୍‌ମା ଟ୍ରାନ୍ସଫ୍ୟୁଜ୍‌ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସିଥିବା ଜଣାପଡ଼ିଛି। ୟୁନିଭର୍ସିଟି ଅଫ୍‌ ହଷ୍ଟନ୍‌ କଲେଜ ଅଫ୍‌ ମେଡିସିନ୍‌ର ଜଣେ ବିଶେଷଜ୍ଞ କହିଛନ୍ତି, ଟିକା ଆସିବାପାଇଁ ୧୨-୧୮ ମାସ ଲାଗିଯିବ। ଆମ ପାଖରେ ଆ‌ଉ ସମୟ ନାହିଁ। ତେବେ ଅଧିକ ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ର‌ୟୋଗ ପାଇଁ ଅଧ୍ୟୟନ ଜାରି ରହିଛି।

ସମ୍ବନ୍ଧିତ ଖବର