ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ଟୁଇଟର୍‌ ଭିଡିଓରେ ମହିଳାଙ୍କ ଆକୁଳ ନିବେଦନ

ମୁମ୍ବାଇ: ଟୁଇଟର୍‌ ଯୋଗେ ପୁଲିସକୁ ସହାୟତା ମାଗିଛନ୍ତି ମୁମ୍ବାଇର ଜଣେ ମହିଳା। ଜଣେ ମହିଳା କାନ୍ଦି କାନ୍ଦି ସହାୟତା ପାଇଁ ଲୋକଙ୍କୁ ନିବେଦନ କରୁଥିବା ଦୃଶ୍ୟ ସମ୍ବଳିତ ଏକ ଭିଡିଓ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ପୋଷ୍ଟ୍‌ କରିଛନ୍ତି।

ମୁମ୍ବାଇର ଖର୍‌ ଅଞ୍ଚଳରେ ବସବାସ କରୁଥିବା ସେ ମହିଳା କହୁଛନ୍ତି ଯେ ସ୍ୱାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ମୁମ୍ବାଇ ପୁଲିସରେ ଅଭିଯୋଗ ଦାଏର କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ।

ମହିଳାଜଣକ ଅଭିଯୋଗ କରିଛନ୍ତି, ସ୍ୱାମୀ ତାଙ୍କୁ କେତେ ବର୍ଷ ହେବ ନିର୍ଯାତନା ଦେଇ ଆସୁଛନ୍ତି। କିନ୍ତୁ, ପିଲାମାନଙ୍କ ମୁହଁକୁ ଚାହିଁ ସେ ପଡ଼ି ରହିଛନ୍ତି। ସ୍ୱାମୀଙ୍କର ପରକୀୟ ସମ୍ପର୍କ ଅଛି ଏବଂ ସେ ଜୁଆ ଖେଳରେ ମାତୁଛନ୍ତି।

ଖର୍‌ ପୁଲିସରେ ସେ ମହିଳା ଅଭିଯୋଗ ପଞ୍ଜିକରଣ କରିଥିବା କଥା ସେ ମହିଳା କହିଛନ୍ତି। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଭିଡିଓର ଶେଷଆଡ଼କୁ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ ମହିଳା।

ସେ କହିଛନ୍ତି: ଦୟାପୂର୍ବକ ମତେ ସାହାଯ୍ୟ କରନ୍ତୁ। ଏ ଲୋକ ମତେ ମାନସିକ ନିର୍ଯାତନା ଦେଇ ଦେଇ ମୋ ଜୀବନ ନେଇଯିବ। ଯଦି ମୁଁ ନ୍ୟାୟ ନ ପାଏ କାଲି ଖର୍‌ ରାସ୍ତାରେ ଜୀବନ ହାରିଦେବି। ଦୟାକରି ମତେ ନ୍ୟାୟ ଦିଅନ୍ତୁ।

ପୁଲିସ ଅଧିକାରୀ କହୁଛନ୍ତି ଏହା ଗୋଟାଏ ଗୃହବିବାଦ। ସେ ଦମ୍ପତିଙ୍କର ତିନୋଟି ପିଲା ଅଛନ୍ତି। ସେମାନେ ଖର୍‌ସ୍ଥିତ ଏକ ଡୁପ୍ଲେସ୍‌ ଆପାର୍ଟମେଣ୍ଟ୍‌ରେ ରହନ୍ତି। ସ୍ୱାମୀ ଓ ଦୁଇ ପିଲା ୧୧ ତାଲାରେ ରହୁଥିବାବେଳେ, ଝିଅ ସହ ମହିଳା ୧୨ ମହଲାରେ ରହନ୍ତି। ମହିଳାଜଣକ ସ୍ୱାମୀଙ୍କ ବିରୋଧରେ ଘରଭଙ୍ଗା ଏବଂ ଅପରାଧିକ ଉଦ୍ଦେଶ୍ୟ ମାମଲାରେ ଦୁଇଟି ମାମଲା ଦାଏର୍‌ କରିଛନ୍ତି। ମାମଲା ବିଷୟରେ ଠିକଣା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର