ଚୀନ୍ ସହ ସୀମା ବିବାଦ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପ୍‌ଙ୍କ ସହ କଥାବାର୍ତ୍ତା କରିନାହାନ୍ତି: ସରକାରୀ ଅଧିକାରୀ

ନୂଆଦିଲ୍ଲୀ: ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହୋଇ ନ ଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା କରିଥିବା କଥା ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିବାର କିଛି ସମୟ ପରେ ଭାରତରେ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଶେଷ ଥର ପାଇଁ ଏପ୍ରିଲ୍ ୪ ତାରିଖରେ ଦୁଇ ନେତା କଥାବର୍ତ୍ତା ହୋଇଥିଲେ। କଥାବାର୍ତ୍ତାର ବିଷୟ ଥିଲା ହାଇଡ୍ରୋସ୍କିକ୍ଲୋରୋକ୍ବିନ୍।

ଏହାଛଡ଼ା ଭାରତ ଓ ଚୀନ୍‌ ବିବାଦରେ ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖାନ କରିଥିବା କଥା ସମ୍ପୃକ୍ତ ଅଧିକାରୀମାନେ କହିଛନ୍ତି। ବୁଧବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରି କହିଥିଲା ଯେ ଭାରତ ଚୀନ୍ ସହ ସିଧାସଳଖ ସମ୍ପର୍କ ରଖିଛି। ସୀମା ବିବାଦ ତୁଟାଇବା ପାଇଁ ପ୍ରକ୍ରିୟା କରାଯିବା ସହ କୂଟନୈତିକ ଯୋଗାଯୋଗ ହୋଇଛି।

Image Courtesy: Wall Street Journal

ଏଠାରେ ପ୍ରକାଶଯୋଗ୍ୟ କି, ଗୁରୁବାର ଦିନ ହ୍ବାଇଟ୍ ହାଉସ୍‌ର ଓଭାଲ୍‌ ଅଫିସ୍‌ରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ଟ୍ରମ୍ପ୍ କହିଲେ ଭାରତ ଓ ଚୀନ୍‌ ମଧ୍ୟରେ ଗୋଟାଏ ବଡ଼ ବିବାଦ ଚାଲିଛି। ମୁଁ ଆପଣମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଭାରି ପସନ୍ଦ କରେ। ସେ ଅତି ଭଦ୍ରଲୋକ।

ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ଯୋଗୁଁ ସେ ଚିନ୍ତିତ କି ବୋଲି ପଚରା ଯିବାରୁ ଟ୍ରମ୍ପ୍‌ କହିଲେ, ଭାରତ ଓ ଚୀନ୍‌ରେ ବଡ଼ ବିବାଦ ଲାଗିଛି। ପ୍ରତ୍ୟେକଙ୍କର ୧. ୪ କୋଟି ଜନତା ଥିବା ଦୁଇଟି ଦେଶ। ଦୁଇ ଦେଶର ଶକ୍ତିଶାଳୀ ସେନାବାହିନୀ ରହିଛି। ବିବାଦରେ ଭାରତ ଖୁସି ନୁହେଁ ଏବଂ ବୋଧହୁଏ ଚୀନ୍ ବି ଖୁସି ନୁହେଁ।

ମୁଁ ଆପଣମାନଙ୍କୁ କହୁଛି; ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛି। ଚୀନ୍ ସହ ଚାଲିଥିବା ଘଟଣା ଯୋଗୁଁ ସେ ଭଲ ମିଜାଜ୍‌ରେ ନାହାନ୍ତି।

 

ସମ୍ବନ୍ଧିତ ଖବର