ଓଡ଼ିଶା ରେଳ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସା କଲେ ମୋଦୀ; ବିଶ୍ବନେତାଙ୍କୁ ଜଣାଇଲେ କୃତଜ୍ଞତା

ନୂଆଦିଲ୍ଲୀ: ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ପ୍ରଶଂସା କରିବା ସହିତ ଏହି ଦୁର୍ଘଟଣା ପାଇଁ ଶୋକବାର୍ତ୍ତା ପଠାଇଥିବା ବିଶ୍ବ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଶନିବାର ଦିନ ବାହାନଗାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ବେଳେ ପ୍ରଧାନମନ୍ତ୍ରୀ ଉଦ୍ଧାରକାରୀ ଦଳ ଏବଂ ଜନସାଧାରଣଙ୍କ ସାହସ ଓ ସହାନୁଭୁତିକୁ ପ୍ରଶଂସା କରିଥିଲେ।

ଟୁଇଟ୍‌ କରି ସେ ଲେଖିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ଆମ ଦେଶବାସୀ ଦେଖାଇଥିବା ସାହସ ଓ ସହାନୁଭୂତି ବାସ୍ତବରେ ପ୍ରେରଣାଦାୟୀ। ଓଡ଼ିଶାରେ ଟ୍ରେନ୍‌ ଦୁର୍ଘଟଣା ହେବା କ୍ଷଣି ଜନସାଧାରଣ ଆପଣାଛାଏଁ ଉଦ୍ଧାର ଅଭିଯାନରେ ସାହାଯ୍ୟ କରିବା ଲାଗି ସାମିଲ ‌‌ହୋଇଗଲେ। ରକ୍ତ ଦାନ କରିବାକୁ କେତେକ ଲୋକ ଧାଡ଼ିବାନ୍ଧିଲେ।

Image Courtesy of NDTV

ଉଦ୍ଧାରକାରୀ ଦଳର ସଦସ୍ୟ ଓ ଅନ୍ୟାନ୍ୟ କର୍ତ୍ତୃପକ୍ଷମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଘଟଣାସ୍ଥଳରେ ଅକ୍ଳାନ୍ତ ପରିଶ୍ରମ କରି ଉଦ୍ଧାର ଅଭିଯାନକୁ ତ୍ବରାନ୍ବିତ କରାଇଥିବା ରେଳବାଇ, ‘ଏନ୍‌ଡିଆର୍‌ଏଫ୍‌’, ‘ଓଡ୍ରାଫ୍‌’, ସ୍ଥାନୀୟ କର୍ତ୍ତୃପକ୍ଷ, ପୁଲିସ, ଅଗ୍ନିଶମ ସେବା, ସ୍ବେଚ୍ଛାସେବୀ ଓ ଅନ୍ୟମାନଙ୍କୁ ମୁଁ ପ୍ରଶଂସା କରୁଛି। ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ନିମନ୍ତେ ମୁଁ ଗର୍ବିତ।

ସେହିପରି, ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣା କଥା ଜାଣି ସମବେଦନା ଜଣାଇଥିବା ବିଶ୍ବର ବିଭିନ୍ନ ରାଷ୍ଟ୍ରର ନେତାମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।  ସେ କହିଛନ୍ତି, ଓଡ଼ିଶାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ବିଶ୍ବନେତାମାନେ ପଠାଇଥିବା ଶୋକବାର୍ତ୍ତା ମତେ ଅଭିଭୂତ କରିପକାଇଛି। ସେମାନଙ୍କର ସହାନୁଭୂତିସମ୍ପନ୍ନ କଥା ବିପର୍ଯ୍ୟସ୍ତ ପରିବାରବର୍ଗଙ୍କୁ ସାମର୍ଥ୍ୟ ଦେବ। ସହାୟତା ପାଇଁ ସମାନଙ୍କ ପ୍ରତି କୃତଜ୍ଞ।

ସମ୍ବନ୍ଧିତ ଖବର