ଏପ୍ରିଲ ୨୬ରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିବେ ମୋଦୀ? ଏକ ନିଉଜ୍ ଚ୍ୟାନେଲ ଏହି ଖବର ପ୍ରସାରଣ କରିବା ପରେ ଅନ୍ୟ ଗଣମାଧ୍ୟମ କହିଲେ ମିଛ
ନୂଆଦିଲ୍ଲୀ : ୫ବର୍ଷର ଶାସନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ବି ସାମ୍ବାଦିକ ସମ୍ମିଳନୀ ଡ଼କାଇ ନାହାନ୍ତି । ଏ ମଧ୍ୟରେ ଏପ୍ରିଲ ୨୬ରେ ମୋଦୀ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଡ଼କାଇବାକୁ ଯାଉଥିବା ନେଇ ଟାଇମ୍ସ ନାଓ ଖବର ପ୍ରସାରଣ କରିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଟାଇମ୍ସ ନାଓ ପକ୍ଷରୁ ଏହି ଖବର ଆଜି ସଂନ୍ଧ୍ୟାରେ ପ୍ରସାରଣ କରାଯିବାର କିଛି ସମୟ ପରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଖବରକୁ ମିଛ ବୋଲି କହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସଂନ୍ଧ୍ୟା ସମୟରେ ନିଜର ବ୍ରେକିଙ୍ଗ୍ ନିଉଜ୍ରେ ଟାଇମ୍ସ ନାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୬ରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଡ଼କାଇବାକୁ ଯାଉଥିବା ନେଇ କହିବା ସହ ସ୍ଥାନ ଏବଂ ସମୟ ମଧ୍ୟ ଜଣାଇଥିଲା । ଏହି ଖବର ଦେଖି ବିଜେପିର ଜଣେ ନେତା ଇଣ୍ଡିଆନ୍ ଏକ୍ସପ୍ରେସ୍ ନିଜର ବୟାନ ଦେଇ ଏହାକୁ ୧୧୦ପ୍ରତିଶତ ମିଛ ବୋଲି କହିଥିଲେ । ବିଜେପି ନେତାଙ୍କ ବୟାନ ଆସିବା ପରେ ଇଣ୍ଡିଆନ୍ ଏକ୍ସପ୍ରେସ ଟାଇମ୍ସ ନାଓ ଖବରକୁ ମିଛ ବୋଲି କହି ସମାଲୋଚନା କରିଥିଲା । ଯାହା ପରେ ଟାଇମ୍ସ ନାଓ ତୁରନ୍ତ ଟୁଇଟ୍ରରେ ଏହି ଖବରକୁ ନେଇ ପୋଷ୍ଟ କରିଥିବା ଭିଡିଓ ହଟାଇ ଦେଇଥିବା ଜଣା ପଡ଼ିଛି ।
ଟାଇମ୍ସ ନାଓର ବ୍ରେକିଙ୍ଗ୍ ନିଉଜ୍ରେ ମୋଦୀ ଏପ୍ରିଲ ୨୬ରେ ବାରଣାସୀର ହୋଟେଲ ତାଜ୍ ଗଙ୍ଗେଜ୍ରେ ଦିନ ୧୨ଟା ୩୦ମିନିଟ୍ରେ ସାମ୍ବାଦିକ ସମ୍ମିଳନୀ ଡ଼କାଇବାକୁ ଯାଉଥିବା କୁହାଯାଇଥିଲା ବୋଲି ଜଣାପଡ଼ିଛି ।