ପିଏମ୍‌ଏୱାଇଜି: ବିବରଣୀ ଦାଖଲ ପାଇଁ କେନ୍ଦ୍ରର ଚିଠି

ଚଳିତ ମାସ ୧୪ରେ ଓଡ଼ିଶା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ, ରାଜ୍ୟରେ ନିର୍ମାଣ ହୋଇନି ୯,୮୦,୮୧୯ ଆବାସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ( ପିଏମ୍‌ଏୱାଇଜି) ୨୦୨୩-୨୪ ବର୍ଷର କାର୍ଯ୍ୟଯୋଜନା ଦାଖଲ ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ପତ୍ର ଲେଖିଛି। ଯୋଜନାର ସାମଗ୍ରିକ ଓ ଆର୍ଥିକ ପ୍ରଗତି ସହ ଅନ୍ୟାନ୍ୟ ପ୍ରସଙ୍ଗ ଏଥିରେ ଉଲ୍ଲେଖ କରିବାକୁ କୁହାଯାଇଛି। ଅଧିକୃତ (ଏମ୍‌ପାୱାରର୍ଡ) ବୈଠକର ଦୁଇ ଦିନ ପୂର୍ବରୁ ଆୱାସସଫ୍ଟରେ ଅନଲାଇନ ଜରିଆରେ ଏହାକୁ ଦୁଇଟି ପର୍ଯ୍ୟାୟରେ ଦାଖଲ କରିବାକୁ ହେବ।

ଚଳିତ ମାସ ୧୪ରେ ଦୁଇଟି ପର୍ଯ୍ୟାୟରେ ପ୍ରାକ ଅଧିକୃତ ଓ ଅଧିକୃତ ବୈଠକ ପାଇଁ ଓଡ଼ିଶା ରିପୋର୍ଟ ଦାଖଲ କରିବାକୁ ଧାର୍ଯ୍ୟ କରାଯାଇଛି। ପ୍ରାକ୍‌ ଅଧିକୃତ ବୈଠକ ଉପମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟମାନଙ୍କୁ ୧୨ଟି ସ୍ଲାଇଡ୍ ପାୱାର ପଏଣ୍ଟ୍‌ ଉପସ୍ଥାପନ ଜରିଆରେ ଯୋଜନାର ଅଗ୍ରଗତି, ଲକ୍ଷ୍ୟ ସ୍ଥିତି, ଆବାସଗୁଡ଼ିକର କାର୍ଯ୍ୟ ଶେଷ କରିବାର ୧୫ ଦିନିଆ କାର୍ଯ୍ୟଯୋଜନା, ଭୂମିହୀନ ହିତାଧିକାରୀଙ୍କ ସ୍ଥିତି ଏବଂ ସେମାନଙ୍କୁ ମାର୍ଚ ୨୦୨୩ ସୁଦ୍ଧା ଜମି ଯୋଗାଇଦେବା ବ୍ୟବସ୍ଥା ଭଳି ତଥ୍ୟ ଦେବାକୁ ହେବ। ସେହିଭଳି କେନ୍ଦ୍ର ଗ୍ରାମୀଣ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଅଧିକୃତ ବୈଠକ ପାଇଁ ରାଜ୍ୟମାନଙ୍କୁ ତିନିଟି ସ୍ଲାଇଡ୍‌ ଜରିଆରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିବାକୁ ହେବ।

୨୦୧୬ ଏପ୍ରିଲ ପହିଲାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆରମ୍ଭ ହୋଇଛି। ଯୋଜନାରେ ଓଡ଼ିଶାକୁ ୨୦୨୩ ଫେବ୍ରୁଆରି ୨ ସୁଦ୍ଧା ୨୪ ଲକ୍ଷ ୪୦ ହଜାର ୯୬୨ ଆବାସ ମଞ୍ଜୁର ହୋଇଛି। ରାଜ୍ୟରେ ୨୦୧୯-୨୦ରେ ୩,୬୧,୧୮୭, ୨୦୨୦-୨୧ରେ ୩,୯୫,୧୦୬, ୨୦୨୧-୨୨ରେ ୯୭,୧୪୩ ଓ ୨୦୨୨-୨୩ରେ ୨୦,୪୯୨ଟି ଆବାସ ନିର୍ମାଣ ହୋଇଛି। ଓଡ଼ିଶାରେ ଏହି ଯୋଜନାରେ ୨୬,୯୫,୮୩୭ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୨୩ ଫେବ୍ରୁଆରି ୨ ସୁଦ୍ଧା ୧୭,୧୫,୦୧୮ ଆବାସ ନିର୍ମାଣ ହୋଇଛି। ଏବେ ବି ୯,୮୦,୮୧୯ ଆବାସ ନିର୍ମାଣ ହୋଇନାହିଁ।

ଏହି ଯୋଜନାର କ୍ରିୟାନ୍ବୟନ ପାଇଁ ରାଜ୍ୟକୁ ‌କେନ୍ଦ୍ରୀୟ ଅଂଶଧନ ବାବଦରେ ୨୦୧୯-୨୦ରେ ୨୧୯୭. ୩୩ କୋଟି ଟଙ୍କା, ୨୦୨୦-୨୧ରେ ୨୮୨୧.୮୭ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୧୦୧୧.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର