ଇସ୍ତଫା ଦେଲେ ପାକ-ଅଧିକୃତ କଶ୍ମୀରର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସ୍ତଫା ଦେବା ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି | ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳରେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି। ନିଆଜୀ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ | ଦଳର ୨୫ ଜଣ ସାଂସଦ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ସେ ଇସ୍ତଫା ଦେଇଛନ୍ତି |

ସର୍ଦ୍ଦାର ଅବଦୁଲ କାୟୁମ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ” ପାକିସ୍ତାନ ସମ୍ବିଧାନର ଅନୁଛେଦ ୧୬(୧) ଅନୁଯାୟୀ ମୁଁ ମୋର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।” ସେ ଇସ୍ତଫା ପତ୍ରକୁ ପାକିସ୍ତାନ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ସୁଲତାନ ମହମୁଦ ଚୌଧୁରୀଙ୍କ ନିକଟକୁ ପଠାଇଛନ୍ତି। ସୂଚନା ଥାଉ କି ଗତ ବର୍ଷ ନିଆଜୀ ପାକିସ୍ତାନ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ହୋଇଥିଲେ |

ସେତେବେଳେ ହୋଇଥିବା ନିର୍ବାଚନରେ ସମୁଦାୟ ୫୩ଟି ଆସନରୁ ପିଟିଆଇ ୩୨ଟି ଆସନ ଜିତିଥିଲା। ତେବେ ଏହି ନିର୍ବାଚନକୁ ନେଇ ଭାରତ ତୀବ୍ର ବିରୋଧ କରିଥିଲା | ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ ଏହି ଭାରତୀୟ ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ଏବଂ ଏହା ବେଆଇନ ଭାବେ ଦଖଲ କରିଥିବା ସମସ୍ତ ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ।

ସମ୍ବନ୍ଧିତ ଖବର