‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର- ୨୦୨୦’ ଆବେଦନ ଅବଧି ବଢ଼ିଲା

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦’ର ମନୋନୟନ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (ଡବ୍ଲୁସିଡି) ତରଫରୁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖକୁ ସେପ୍ଟେମ୍ବର ୩୦, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍‌ଲାଇନ ମାଧ୍ୟମରେ www.nca.wcd.nic.in ୱେବ୍‌ପୋର୍ଟାଲରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଦେଶର ପ୍ରତିଭାବାନ ଶିଶୁ, ବ୍ୟକ୍ତିିବିଶେଷ ଓ ପ୍ରତିଷ୍ଠାନମାନଙ୍କୁ ସମ୍ମାନିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ତରଫରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଆରମ୍ଭ କରାଯାଇଛି । ବାଲ ଶକ୍ତି ଓ ବାଲ କଲ୍ୟାଣ ଆଦି ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବାଲ ଶକ୍ତି ପୁରସ୍କାରର ଲକ୍ଷ୍ୟ ହେଉଛି ନବୋନ୍ମେଷ, ପାଠପଢ଼ା, କଳା, ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା । ସେହିପରି ଶିଶୁ ବିକାଶ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ସେବା କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବାଲ କଲ୍ୟାଣ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବ ସପ୍ତାହରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ।

ସମ୍ବନ୍ଧିତ ଖବର