ଜେଲରେ ଆତ୍ମହତ୍ୟା କରିଥିବା କଏଦୀଙ୍କ ପେଟରୁ ବାହାରିଲା ସୁଇସାଇଡ ନୋଟ: ସେଥିରେ ଲେଖାଥିଲା ଏଭଳି କଥା

ନାସିକ: ମହାରାଷ୍ଟ୍ରର ନାସିକ କେନ୍ଦ୍ର କାରାଗାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି କାରାଗାରରେ ଜଣେ କଏଦୀ କିଛିଦିନ ତଳେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଆତ୍ମହତ୍ୟା ପୂର୍ବରୁ କଏଦୀ ଏକ ସୁଇସାଇଡ ନୋଟ ଲେଖିଥିଲେ। ଯାହାକୁ ସେ ମୃତ୍ୟୁ ପୂର୍ବରୁ ଗିଳି ଦେଇଥିଲେ। କଏଦୀଙ୍କ ପେଟରୁ ଏହି ସୁଇସାଇଡ ନୋଟ ମିଳିବା ଖବର ସମଗ୍ର ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆତ୍ମହତ୍ୟା କରିଥିବା କଏଦୀଙ୍କ ନାମ ଅଲି ମନସୁରୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ଦଣ୍ଡିତ ହୋଇ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଅସଗର ଅଲି ମନସୁରୀ ଜେଲରେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ। ଏହି ନୋଟରେ ଅଲି ମନସୁରୀ ଜେଲ୍ କର୍ମଚାରୀ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଥିବା ଜଣାପଡ଼ିଛି।

Representative Image. Credit: iStock Photo

କଏଦୀଙ୍କ ଆତ୍ମହତ୍ୟାକୁ ନେଇ ନାସିକ ରୋଡ ପୁଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୭ତାରିଖରେ ମନସୁରୀଙ୍କ ମୃତଦେହ ତାଙ୍କ ସେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ସମୟରେ ତାଙ୍କ ପେଟରେ ପଲିଥିନରେ ଆବୃତ କିଛି ମିଳିଥିଲା। ଏହାକୁ ଖୋଲି ଦେଖିଲା ପରେ ସେଥିରେ ମନସୁରୀଙ୍କ ସୁଇସାଇଡ ନୋଟ୍ ଥିଲା।

ଏପଟେ ମନସୁରୀଙ୍କ ଅଭିଯୋଗକୁ ଖଣ୍ଡନ କରି ପୁଲିସ କହିଛି, କଏଦୀ ମନସୁରୀ ପଢ଼ି ଲେଖିପାରନ୍ତି ନାହିଁ, ତେଣୁ ତାଙ୍କୁ ନୋଟ୍ ଲେଖିବାରେ କେହି ସାହାଯ୍ୟ କରିଛି।

ମାନସୁରୀଙ୍କ ମୃତ୍ୟୁ ପରେ ଅନ୍ୟ ଅନ୍ତେବାସୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି କଏଦୀ ଚିଠିରେ ଯେଉଁ ଅଭିଯୋଗ କରିଛନ୍ତି ତାହାର ତଦନ୍ତ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର