ପ୍ରିୟଙ୍କାଙ୍କୁ ୟୁପି ପୁଲିସର ଦୁର୍ବ୍ୟବହାର ପ୍ରସଙ୍ଗ, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତ୍ରୀ

ମୁମ୍ବାଇ: ହାଥରସ୍‌ ପୀଡ଼ିତା ପରିବାରକୁ ଭେଟିବାକୁ ଯିବା ବାଟରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ୟୁପି ପୁଲିସ ଦୁର୍ବବ୍ୟହାର କରିଥିଲା। ଜଣେ ପୁଲିସ ପ୍ରିୟଙ୍କାଙ୍କ ପୋଷାକକୁ ଧରିଥିବା ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ବିଜେପି ଉପସଭାପତି ଚିତ୍ରା ୱାଗ୍‌। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ପୁଲିସଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି। ତେବେ ବିଜେପି ନେତ୍ରୀ ଚିତ୍ରା ୱାଗ୍‌ଙ୍କ ଏଭଳି ଆଭିମୁଖ୍ୟକୁ କଂଗ୍ରେସ ନେତାମାନେ ସମର୍ଥନ କରିଛନ୍ତି। ଗତବର୍ଷ ବିଜେପିକୁ ଯାଇଥିଲେ ମଧ୍ୟ ସେ ତାଙ୍କ ସଂସ୍କାର ଭୁଲିନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପ୍ରିୟଙ୍କା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ଶନିବାର ହାଥରାସ ପୀଡ଼ିତା ପରିବାରକୁ ଭେଟିବାକୁ ଯାଇଥିଲେ। ତେବେ ରାସ୍ତାରେ ଯିବା ବାଟ‌ରେ କଂଗ୍ରେସ କର୍ମୀ ଏବଂ ଗୌତମ ବୁଦ୍ଧ ନଗର ପୁଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏହି ସମୟରେ ପୁଲିସ ଲାଠିମାଡ଼ରୁ କଂଗ୍ରେସକର୍ମୀଙ୍କୁ ସୁରକ୍ଷା ଦେବାପାଇଁ ପ୍ରିୟଙ୍କା ଭିଡ଼ ଭିତରକୁ ପଶି ଯାଇଥିଲେ। ତେବେ ଜାଣିବାକୁ ମିଳିଛି ଯେ, ହେଲମେଟ୍‌ ପିନ୍ଧିଥିବା ଜଣେ ପୁଲିସ ଡିଏନ୍‌ଡି ଟୋଲ୍‌ ପ୍ଲାଜା ନିକଟରେ ପ୍ରିୟଙ୍କାଙ୍କ କୁର୍ତାକୁ ଧରିଥିଲେ। ଏହାକୁ ବିରୋଧ କରି ୱାଗ୍‌ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଜଣେ ପୁରୁଷ ପୁଲିସ ଅଧିକାରୀ ଜଣେ ମହିଳା ରାଜନେତ୍ରୀଙ୍କ ପୋଷାକ ଧରିବାକୁ କିଭଳି ସାହାସ କଲେ । ପୁଲିସ ସବୁବେଳେ ନିଜ ସୀମା ଭିତରେ ରହିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର