ଏଲ୍‌ଜେପିରେ ବିଦ୍ରୋହ ଚିରାଗଙ୍କଠାରୁ ଦଳ ଛଡ଼ାଇନେଲେ କକା, ସଂସଦୀୟ ଦଳ ନେତା ହେଲେ କକା

ନୂଆଦିଲ୍ଲୀ: ବିହାରର ଅନ୍ୟତମ ଟାଣୁଆ ନେତା ସ୍ବର୍ଗତ ରାମ ବିଳାସ ପାଶଵାନ୍‌ଙ୍କ ପୁଅ ତଥା ଲୋକସଭା ସାଂସଦ ଚିରାଗ ପାଶ୍ବାନଙ୍କ ନେତୃତ୍ବାଧୀନ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦେଖାଦେଇଥିବା ବିଦ୍ରୋହ ବିହାର ରାଜନୀତିରେ ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ଏଲ୍‌ଜେପିର ୫ ଜଣ ଲୋକସଭା ସାଂସଦ ତାଙ୍କୁ ଦଳର ସଂସଦୀୟ ନେତା ପଦରୁ ବହିଷ୍କାର କରି ତାଙ୍କ କକା ପଶୁପତି କୁମାର ପାରଶଙ୍କୁ ଲୋକସଭାରେ ଏଲ୍‌ଜେପିର ନୂତନ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରିଛନ୍ତି। ଏଥି ସହିତ ଗତ ବିହାର ନିର୍ବାଚନ ବେଳେ ଦଳର ଅଧ୍ୟକ୍ଷ ଚିରାଗ ତୀବ୍ର ବିରୋଧ କରିଆସିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଏହି ବିଦ୍ରୋହୀ ସାଂସଦମାନେ ଆସ୍ଥା ପ୍ରକଟ କରିବା ଘଟଣା ଦଳୀୟ ବିଭାଜନକୁ ସ୍ପଷ୍ଟ ଇଙ୍ଗିତ କରିଛି। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରିବାର ସମ୍ଭାବନା ଥିବାରୁ ବିହାର ରାଜନୀତିରେ ଏହି ପରିବର୍ତ୍ତନ ଗୁରୁତ୍ବ ବହନ କରୁଛି। ସୂଚନାନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ଏଲ୍‌ଜେପିର ୬ଜଣ ସାଂସଦଙ୍କ ମଧ୍ୟରୁ ଚିରାଗ ପାଶ୍ବାନଙ୍କୁ ଛାଡ଼ି ବାକି ୫ ଜଣ ଯଥା: ପଶୁପତି କୁମାର ପାରଶ, ଚୌଧୁରୀ ମେହବୁବ୍‌ ଅଲି କାଇଜର, ବୀଣା ଦେବୀ, ପ୍ରିନ୍ସ ରାଜ ଓ ଚନ୍ଦନ ସିଂହ ପ୍ରମୁଖ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ସେମାନେ ସଂସଦରେ ଶ୍ରୀ ପାରଶଙ୍କ ନେତୃତ୍ବରେ କାମ କରିବାକୁ ପସନ୍ଦ କରୁଛନ୍ତି ବୋଲି ଜଣାଇଥିଲେ।

ଏପରିକି ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଅଂଶୀଦାର ଭାବେ ମଧ୍ୟ ସେମାନେ କାମ କରିବାକୁ ଚାହାନ୍ତି ବୋଲି ସ୍ପଷ୍ଟ କରିଥିଲେ। ଅପରପକ୍ଷେ, ଏଲ୍‌ଜେପିରେ ଏହି ପରିବର୍ତ୍ତନ ପଛରେ କୌଣସି ହାତ ନଥିବା ରାଜ୍ୟ ବିଜେପି ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଏହା ଉଭୟ ନୀତୀଶ କୁମାରଙ୍କ ଜେଡିୟୁ ଓ ବିଜେପିକୁ ସୁହାଇବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ଗତ ବିଧାନସଭା ନିର୍ବାଚନ ପରଠାରୁ କେବଳ ଚିରାଗଙ୍କ ଯୋଗୁଁ ହିଁ ଏଲ୍‌ଜେପିକୁ ଏନ୍‌ଡିଏରେ ସାମିଲ କରିବା ପାଇଁ ନୀତୀଶ ବିରୋଧ କରି ଆସୁଥିବା ବେଳେ ଏଣିକି ଏହି ପାଞ୍ଚ ଜଣ ସାଂସଦଙ୍କ ଘୋଷଣା ଅନୁସାରେ ଏଲ୍‌ଜେପିକୁ କେନ୍ଦ୍ର ଓ ରାଜ୍ୟ ସରକାରରେ ସାମିଲ କରିବାରେ ଆଉ ଅସୁବିଧା ନାହିଁ ବୋଲି ଚର୍ଚ୍ଚା ହେଉଛି। ବିହାରର ଏହି ସାଂସଦମାନେ ଆଜି ଦିଲ୍ଲୀରେ ପାରଶଙ୍କ ବାସଭବନରେ ଏହି ନିଷ୍ପତ୍ତି ନେଇଛନ୍ତି। ୫ ଜଣ ସାଂସଦ ଏକାଠି ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସଂପର୍କରେ ଖବର ପାଇଁ ଚିରାଗ କକାଙ୍କ ବାସଭବନକୁ ନିଜେ କାର୍‌ ଚଳାଇ ଯାଇଥିଲେ। କିନ୍ତୁ ସେଠାରେ ଦୀର୍ଘ ସମୟ ଧରି ଗେଟ୍ ବାହାରେ ଅପେକ୍ଷା କରି ରହିଥିଲେ। ଗଣମାଧ୍ୟମକୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। କିନ୍ତୁ ପରେ କକାଙ୍କ ବାସଭବନ ଗେଟ୍ ଖୋଲିଥିଲା ଏବଂ ଚିରାଗ ଭିତରକୁ ଯାଇଥିଲେ। କିନ୍ତୁ ସେତେବେଳକୁ କକା ବାସଭବନରେ ନଥିଲେ।

ସମ୍ବନ୍ଧିତ ଖବର