ବହୁ ବିବାହକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ନୂୟାଦିଲ୍ଲୀ: ବହୁବିବାହକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଦ୍ବିତୀୟ ପତ୍ନୀ ଗ୍ରହଣ କରିବା ପୂର୍ବରୁ ପ୍ରଥମ ପତ୍ନୀଙ୍କ ନିକଟରୁ ଲିଖିତ ଅନୁମତି ନେବାକୁ ପଡ଼ିବ ବୋଲି ଏହି ଆବେଦନରେ ଉଲ୍ଲେଖ ରହିଛି। ପ୍ରଥମ ସ୍ତ୍ରୀ ଯଦି ନ ଚାହିଁବେ ତେବେ ସ୍ବାମୀ ଦ୍ବିତୀୟ ବିବାହ କରି ପାରିବେ ନାହିଁ। ଆବେଦନକାରୀ ମହିଳାଙ୍କ ଅଭିଯୋଗ ଅନୁଯାୟୀ ୨୦୧୯ ମସିହାରେ ମୁସଲମାନ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ମହମ୍ମଦ ସୋଏବ ଖାନ୍‌ଙ୍କ ସହିତ ହୋଇଥିଲା। ତାଙ୍କର ଏକ ୧୧ ମାସର ସନ୍ତାନ ମଧ୍ୟ ରହିଛି। ତାଙ୍କ ସ୍ବାମୀ ତାଙ୍କୁ ତିନ ତଲାକ ଦେବା ସହ ଦ୍ବିତୀୟ ବିବାହ ପାଇଁ ଜିଦ୍‌ ଧରିଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରତି ଅବହେଳା ଏବଂ ଅତ୍ୟାଚାର କରାଯାଉଛି। ତାଙ୍କ ସ୍ବାମୀ ଭରଣପୋଷଣ ପାଇଁ କୌଣସି ସହାୟତା ମଧ୍ୟ ଦେଉନାହାନ୍ତି।

ପୀଡ଼ିତାଙ୍କ ପକ୍ଷରୁ ଯୁକ୍ତି ରହିଥିଲା ଯେ ମୁସଲମାନ ଧର୍ମ ଅନୁଯାୟୀ ପତ୍ନୀଙ୍କ ଅସୁସ୍ଥତା କିମ୍ବା ନିଃସନ୍ତାନତା କାରଣରୁ ପୁରୁଷ ଦ୍ବିତୀୟ ବିବାହ କରି ପାରିବେ। ମାତ୍ର କେବଳ ଦ୍ବିତୀୟ ବିବାହ କରିବା ଉଦ୍ଦେଶ୍ୟରେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ପତ୍ର ଦେଉଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ଜୀବନ ପ୍ରତି ବିପଦ ଥିବାରୁ ସେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ସୋମବାର ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ବିପିନ ସାଙ୍ଘି ଓ ଜଷ୍ଟିସ୍‌ ନବୀନ ଚାୱଲାଙ୍କ ମିଳିତ ଖଣ୍ଡପୀଠ ମହିଳା ଓ ଶିଣୁ କଲ୍ୟାଣ ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ସେମାନେ ଏହା ଉପରେ ଜବ‌ାବ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର