ୟୁକ୍ରେନର ଦୁଇ ବିଦ୍ରୋହୀ ଅଞ୍ଚଳକୁ ‘ସ୍ବାଧୀନ’ ମାନ୍ୟତା ଦେବାକୁ ପୁତିନଙ୍କ ଘୋଷଣା, ଅସନ୍ତୋଷ ପ୍ରକାଶ କଲେ ଫ୍ରାନ୍ସ ଓ ଜର୍ମାନି

ନୂଆଦିଲ୍ଲୀ: ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ଋଷ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବ ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ଏ ସଂକ୍ରାନ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମ‌ାକ୍ରନ୍ ଓ ଜର୍ମାନ୍ ଚାନ୍ସେଲର୍ ଓଲ୍ଫ୍ ସ୍କୋଲ୍ଜଙ୍କୁ ଜଣାଇ ଦେଇଛନ୍ତି ରାଷ୍ଟ୍ରପତି ପୁତିନ୍। ତେବେ ପୁତିନଙ୍କ ସହ ଟେଲିଫୋନ୍ ଜରିଆରେ ଆଲୋଚନା ସମୟରେ ଏହି ଦୁଇ ଦେଶର ନେତା ‘ଅସନ୍ତୋଷ’ ପ୍ରକାଶ କରିଛନ୍ତି ବୋଲି ଜଣାପଡ଼ିଛି। ‌ପୁତିନ୍ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଖୁବ୍ ଶୀଘ୍ର ସରକାରୀ ନିର୍ଦ୍ଦେଶନାମା ଜାରି କରିବେ ଏବଂ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ୍ ବାର୍ତ୍ତା ଦେବେ। ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନର ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ ନ ଦେବାକୁ ବାରମ୍ବାର ତାଗିଦ କରି ଆସୁଥିଲେ ମଧ୍ୟ ପୁତିନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସେ ଆଜି ତାଙ୍କ ଦେଶର ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ମତ ଜାଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଋଷର ଏହି ପଦକ୍ଷେପ ୟୁକ୍ରେନର ରାଜଧାନୀ କ୍ବିଭରେ କ୍ଷମତାରେ ଥିବା ପାଶ୍ଚାତ୍ୟ ସମର୍ଥିତ ସରକାରଙ୍କ ସହିତ ମୁକାବିଲାମୂଳକ ସ୍ଥିତି ଉତ୍ପନ୍ନ କରିବ। ଏହା ଯୁଦ୍ଧ ଆଡ଼କୁ ମଧ୍ୟ ଗତି କରିପାରେ। ତେଣେ ୟୁକ୍ରେନ୍ ସୀମାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରସମୂହଙ୍କ ଆକଳନ ଅନୁସାରେ, ରୁଷ୍‌  ୧୫୦,୦୦୦ ସୈନିକ ମୁତୟନ କରିଛି। ପୁତିନଙ୍କ ଏହି ଘୋଷଣା ପରେ ଆମେରିକା କିଭଳି ଭୂମିକା ଗ୍ରହଣ କରୁଛି ତାହା ଉପରେ ପୂରା ବିଶ୍ବର ନଜର ରହିଛି।

ଋଷ ଉତ୍ତେଜନା କମ କରିବା ପାଇଁ ଯଥେଷ୍ଟ ଚେଷ୍ଟା କରିଛି। ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରହୁ ବୋଲି ଉଦ୍ୟମ କରାଯାଉଛି। ଆମକୁ ନାଟୋ ଓ ଆମେରିକା ତରଫରୁ କୌଣସି ଗ୍ୟାରେଣ୍ଟି ଦରକାର ନାହିଁ। ସୁରକ୍ଷା ପରିଷଦ ସହ ବୈଠକ ସମୟରେ ପୁତିନ୍ ଏଭଳି କହିଛନ୍ତି ।

ପ୍ରକୃତରେ ଋଷ ଚାହୁଁ ନାହିଁ ଯେ ୟୁକ୍ରେନ୍ ନାଟୋରେ ସାମିଲ ହେଉ। ଋଷକୁ ଲାଗୁଛି, ଯଦି ଏପରି ହୁଏ ତେବେ ନାଟୋର ସୈନିକ ତାର ସୀମାର ନିକଟକୁ ଆସିଯିବେ। ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଯଥେଷ୍ଟ ବଢିଯାଇଛି। ଆମେରିକା ସମେତ ପଶ୍ଚାତ୍ୟ ଦେଶଗୁଡିକ ଚିନ୍ତା ପ୍ରକଟ କରୁଛନ୍ତି ଯେ ଋଷ କୌଣସି ବି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ।

ସମ୍ବନ୍ଧିତ ଖବର