‘କ୍ବାଡ୍‌’ ଭର୍ଚୁଆଲ୍‌ ସମ୍ମିଳନୀ : ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମଂଚରେ ମୋଦୀ-ବାଇଡେନ୍‌ ଏକାଠି

କ୍ବାଡ୍‌ ରାଷ୍ଟ୍ର ଗଣତାନ୍ତ୍ରିକ ମୂଲ୍ୟବୋଧରେ ଏକତ୍ରିତ: ମୋଦୀ

ନୂଆଦିଲ୍ଲୀ : କ୍ବାଡ୍‌ (ଚତୁର୍ଭୁଜ ସୁରକ୍ଷା ସମ୍ବାଦ) ରାଷ୍ଟ୍ରନେତାମାନଙ୍କର ପ୍ରଥମ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ ଏବଂ ଜାପାନ୍‌ ପ୍ରଧାନମନ୍ତ୍ରୀ ଯୋଶିହିଦେ ସୁଗା ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ। କ୍ବାଡ୍‌ ବୈଠକରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ସାକ୍ଷାତ ହୋଇଛି। ପ୍ରଥମ ଥର ମୋଦୀଙ୍କୁ ଭେଟିବାପରେ ବାଇଡେନ୍‌ କହିଥିଲେ , ‘ଆପଣକୁ ଦେଖି ମୁଁ ବହୁତ ଖୁସି ’। ସମ୍ମିଳନୀରେ ସ୍ବାଗତ ଭାଷଣ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ୪ ରାଷ୍ଟ୍ର (ଭାରତ-ଆମେରିକା-ଅଷ୍ଟ୍ରେଲିଆ-ଜାପାନ) ସେମାନଙ୍କ ଗଣତାନ୍ତ୍ରିତ ମୂଲ୍ୟବୋଧ ଯୋଗୁଁ ଏକତ୍ରିତ ହୋଇଛନ୍ତି ଏବଂ କ୍ବାଡ୍‌ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସ୍ଥିରତା ବଜାୟ ରଖିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଭାବେ କାମ କରିବ। ବିକାଶ ଓ ବିଶ୍ବ ଶାନ୍ତି କ୍ଷେତ୍ରରେ କ୍ବାଡ୍‌ ଆଗକୁ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ବୈଠକ ଏଜେଣ୍ଡାର ୨ଟି ପ୍ରମୁଖ ବିଷୟ ଥିଲା ମୁକ୍ତ , ଅବାଧ ଭାରତ ପ୍ରଶାନ୍ତ କ୍ଷେତ୍ର ଏବଂ କୋଭିଡ୍‌ ଟିକା। ଏହା ସହିତ ଜଳବାୟୁ ପରିବର୍ତ୍ତନ ନେଇ ମଧ୍ୟ ୪ ବିଶ୍ବ ନେତା ସେମାନଙ୍କ ମତ ରଖିଥିଲେ। ଏକ ସ୍ଥାୟୀ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ‌କ୍ଷେତ୍ର ପାଇଁ ଆମେ ପୂର୍ବାପେକ୍ଷା ଆହୁରି ନିକଟତର ହୋଇ କାମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ, କ୍ବାଡ୍‌ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସହଯୋଗ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇପାରିଛି ଏବଂ ୪ ରାଷ୍ଟ୍ର ମଧ୍ୟରେ ରଣନୀତିକ ଭାଗିଦାରିତା ବିଶ୍ବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଆମେ ବିଶ୍ବର ମଙ୍ଗଳ ପାଇଁ ଟିକା ଉତ୍ପାଦନ କ୍ଷେତ୍ରରେ ମିଳିତ ଭାବେ ଏକ ନୂଆ ଲକ୍ଷ୍ୟଭେଦୀ ଯୋଜନା ଆରମ୍ଭ କରିଛୁ। ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଏବଂ ଦ୍ବିପାକ୍ଷିକ ସଂପର୍କ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ବାଇଡେନ୍‌ କହିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ ‘ନମସ୍ତେ’ କହି ତାଙ୍କ ଉଦ୍‌ବେଧାନ ଆରମ୍ଭ କରିଥିଲେ। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଏକ ଶକ୍ତିଶାଳୀ ଭାରତର ଉପସ୍ଥିତି ହିଁ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖି‌ବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର