କୁଇଣ୍ଟରେ ପୋଲ ଆଇଜ୍‌ ରିପୋର୍ଟ: ବିଜେଡି ସପକ୍ଷରେ ସର୍ଭେ, ୨୧ରୁ ୧୮ ଲୋକସଭା ଆସନରେ ଜିତିବ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ। ଏବେପୋଲ୍ ଆଇଜ୍ ପକ୍ଷରୁ କରାଯାଇଥିବା ଏକ ପ୍ରାକ୍ ନିର୍ବାଚନୀ ସର୍ଭେ ସୂଚାଉଛି କି ବିଜେଡି  ଗତ ଥର ଭଳି ଭଲ ପ୍ରଦର୍ଶନ କରିବ। ବିଜେଡି ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟିରେ ଜିତିବ। ବିଜେପି ୨ଟିରେ ଜିତିବାକୁ ଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଦି କୁଇଣ୍ଟରେ ପ୍ରକାଶ ପାଇଛି।

ସର୍ଭେ ସୂଚାଉଛି, ରାଜ୍ୟରେ ମୋଟ ଭୋଟ ମଧ୍ୟରୁ ୫୦ ପ୍ରତିଶତ ବିଜେଡି ଝୁଲାରେ ପଡ଼ିବ। ବିଜେପି ତୁଳନାରେ ବିଜେଡିର ଭୋଟ ୨୫ ପ୍ରତିଶତ ଅଧିକ ରହିବ। କଂଗ୍ରେସ ୧୬ ପ୍ରତିଶତ ଭୋଟ ପାଇବ। ରାଜ୍ୟରେ ଜଗତସିଂହପୁର, ବ୍ରହ୍ମପୁର, କଟକ ଏବଂ କନ୍ଧମାଳ ଆଦି ଆସନରେ ବିଜେଡି ଭଲ ପ୍ରଦର୍ଶନ କରିବ। ସର୍ଭେରେ ଯଦିଓ ଓଡ଼ିଶାରେ ବିଜେଡି ଆସନଗୁଡ଼ିକୁ ପୋଛିନେବ ବୋଲି କୁହାଯାଇଛି ତଥାପି ତିନୋଟି କାରଣ ଯୋଗୁ ଏଥିରେ ରୋକ୍ ଲାଗିବା ଆଶଙ୍କା ମଧ୍ୟ ରହିଛି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା ଦଳୀୟ ନେତାଙ୍କ ବିଦ୍ରୋହ ଓ ବିଭାଜନ। ଦ୍ବିତୀୟଟି ହେଲା ନିର୍ବାଚନ ପାଖେଇ ଆସିଲେ ବିରୋଧୀ ଦଳଗୁଡ଼ିକର ଭୋଟ ଏକତ୍ରିତ ହେବା ଏବଂ ତୃତୀୟଟି ହେଲା ବିଧାନସଭା ଓ ଲୋକସଭା ପାଇଁ ଭୋଟ ବିଭାଜନ।ପୋଲ୍ ଆଇଜ୍ ପକ୍ଷରୁ ଫେବ୍ରୁଆରିରେ ଏହି ସର୍ଭେ କରାଯାଇଥିଲା।

ପୋଲ୍ ଆଇଜ୍‌ର ସର୍ଭେ ଅନୁଯାୟୀ, ବିଜେଡି କେବଳ ୩ଟି ଆସନ କେନ୍ଦୁଝର, ସମ୍ବଲପୁର ଏବଂ କୋରାପୁଟରେ ପଛରେ ରହିଛି। କେନ୍ଦୁଝରରେ ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିବ। ସେହିଭଳି ସମ୍ବଲପୁରରେ ଅଳ୍ପ ବ୍ୟବଧାନରେ ଆଗରେ ରହିବ। ‌କିନ୍ତୁ କୋରାପୁଟରେ ଆଶ୍ଚର୍ଯ୍ୟଜନକଭାବେ ଆଗକୁ ବଢୁଛି େବାଲି କୁହାଯାଇଛି। ‌୭ଟି ଆସନରେ ବିଜେଡି ପାଇଁ ବିଜେପି ଚ୍ୟାଲେଞ୍ଜ ହେବ। ସେହି ଆସନଗୁଡ଼ିକ ହେଲା ବରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ା। ତୃତୀୟ କାରଣଟି ହେଲା ବିଧାନସଭା ଏବଂ ଲୋକସଭା ପାଇଁ ଏକସଙ୍ଗରେ ଓଡ଼ିଶାରେ ନିର୍ବାଚନ ହେଉଥିବାରୁ ଏଠାରେ ଭୋଟ ବିଭାଜନ ହେବା ଆଶଙ୍କା ରହିଛି।

୨୦୦୪ ମସିହାରେ ଓଡ଼ିଶାରେ ଏକସଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇ ଆସୁଛି। ୨୦୧୪ରେ ବିଜେପି ବିଧାନସଭା ତୁଳନାରେ ଲୋକସଭା ପାଇଁ ୩.୯ ପ୍ରତିଶତ ଅଧିକ ଭୋଟ ପାଇଥିଲା। ୮ଟି ଲୋକସଭା ଆସନରେ ବିଜେପି ସପକ୍ଷରେ ଅଧିକ ଭୋଟ ରହିଥିଲା। ସେହି ଆସନ ଗୁଡ଼ିକ ହେଲା ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ବାଲେଶ୍ବର, ଭୁବନେଶ୍ବର, ପୁରୀ ଏବଂ ବଲାଙ୍ଗୀର।

ସମ୍ବନ୍ଧିତ ଖବର