ରାଫେଲ୍‌, ରାମମନ୍ଦିରକୁ ନେଇ ହଙ୍ଗାମା, ତୃତୀୟ ଦିନରେ ଗୃହକାର୍ଯ୍ୟ ଠପ୍‌

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ତୃତୀୟ ଦିନ ପାଇଁ ସଂସଦ ଅଚଳ ହୋଇପଡ଼ିଛି। ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଛି। ଆଜି ବିବାଦୀୟ ରାଫେଲ୍‌ ଚୁକ୍ତି ଓ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଶିବସେନାର ସାଂସଦମାନେ ଉଭୟ ଗୃହରେ ହଙ୍ଗାମା କରିଥିଲେ। ଫଳରେ ଦିନସାରା ଉଭୟ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାରେ ଗୃହକାର୍ଯ୍ୟ ଗୁରୁବାର ସକାଳେ କିଛି ମିନିଟ୍‌ ପାଇଁ ଚାଲିବା ପରେ ଦିନସାରା ବାରମ୍ବାର ମୁଲତବୀ ରଖାଯାଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଶିବସେନା, ଟିଡିପି ଓ ଏଆଇଏଡିଏମ୍‌କେ ସଦସ୍ୟମାନେ ସ୍ଲୋଗାନ୍‌ ଦେଇ ବାଚସ୍ପତିଙ୍କ ଆଡ଼କୁ ମାଡ଼ିଆସିଥିଲେ। ର‌ାଫେଲ୍‌ ଚୁକ୍ତିକୁ ନେଇ ଆଜି କଂଗ୍ରେସ ସାଂସଦମାନେ ହଙ୍ଗାମା କରିଥିଲେ। ଚୁକ୍ତିର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ କରିବା ଲାଗି ସେମାନେ ଦାବି କରିବା ସହ ‘ୱି ଡିମାଣ୍ଡ୍‌ ଜେପିସି’ ସ୍ଲୋଗାନ୍‌ ଦେଇଥିଲେ। ଶିବସେନା ସଦସ୍ୟମାନେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି କରି ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ‘ହର୍‌ ହିନ୍ଦୁ କୀ ୟହି ପୁକାର୍‌, ପହଲେ ମନ୍ଦିର୍‌ ଫିର୍‌ ସରକାର’ ଲେଖାଥିବା କାଗଜ ଧରି ହଙ୍ଗାମା କରିଥିଲେ। ଏଆଇଏଡିଏମ୍‌କେ ସଦସ୍ୟ କାବେରୀ ଡେଲ୍‌ଟାର ଚାଷୀମାନଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ଟିଡିପି ସାଂସଦମାନେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ସହ ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର