ରାହୁଲ ସଦାମ ହୁସେନଙ୍କ ପରି ଦିଶୁଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। ହିମନ୍ତ କହିଛନ୍ତି, ରାହୁଲଙ୍କ ମୁହଁ ଏବେ ପରିବର୍ତ୍ତନ ହୋଇଯାଇଛି ଏବଂ ସେ ଏବେ ସଦାମ ହୁସେନଙ୍କ ପରି ଦେଖାଯାଉଛନ୍ତି। ଅହମଦାବାଦରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ନିକଟରେ ଏକ ଟିଭି ସାକ୍ଷାତକାରରେ ମୁଁ କହିଥିଲି ଯେ ରାହୁଲ ଗାନ୍ଧିଙ୍କ ନୂଆ ରୂପ‌ରେ କିଛି ସମସ୍ୟା ନାହିଁ। କିନ୍ତୁ ଯଦି ତୁମକୁ ରୂପ ବଦଳାଇବାର ଅଛି ତେବେ ତୁମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହରୁଙ୍କ ପରି ନିଜର ରୂପ ବଦଳାଅ। ସବୁଠୁ ଭଲହେବ ଯଦି ତୁମେ ଗାନ୍ଧୀଜୀଙ୍କ ପରି ଦେଖାଯିବ। କିନ୍ତୁ ଏବେ ତୁମେ ଅଧିକ ସଦାମ ହୁସେନଙ୍କ ପରି କାହିଁକି ଦେଖାଯାଉଛ? ଏଥିପାଇଁ କୁହେ କଂଗ୍ରେସ ନେତାଙ୍କ ଅଭ୍ୟାସ ଭାରତୀୟ ସଂସ୍କୃତି ସହ ଜଡ଼ିତ ନୁହେଁ।

ସେମାନେ ସବୁବେଳେ ପଶ୍ଚିମ ବିଦେଶୀ ସଂସ୍କୃତି ଆପଣାଇବାକୁ ଚେଷ୍ଟା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଏବେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ସମୟରେ ସେ ତାଙ୍କ ଦାଢ଼ି ବଢ଼ାଇଛନ୍ତି। ତେବେ ଶର୍ମାଙ୍କର ଏହି ଟିପ୍ପଣୀକୁ କଂଗ୍ରେସ ବିରୋଧ କରିଛି। କଂଗ୍ରେସ କହିଛି, ଯେତେବେଳେ ତୁମ ‌ନେତା (ପ୍ରଧାନମନ୍ତ୍ରୀ ମୋଦୀ) ଦାଢ଼ି ବଢ଼ାଉଛନ୍ତି ସେତେବେଳେ ଆମେ କିଛି କହୁନୁ। ଆମେ ବାସ୍ତବ ପ୍ରସଙ୍ଗ ସଂକ୍ରାନ୍ତରେ କହୁଛୁ। କଂଗ୍ରେସ ମୁଖପାତ୍ର ଅଳକା ଲାମ୍ବା ବିଜେପି ନେତାଙ୍କ ଏହି ଟିପ୍ପଣୀ ପାଇଁ ବର୍ଷିଛନ୍ତି। ଅଳକା ଲାମ୍ବା କହିଛନ୍ତି, ରାହୁଲ ଗାନ୍ଧି ହିମନ୍ତ ବିଶ୍ବ ଶର୍ମାଙ୍କ ଅପେକ୍ଷା ତାଙ୍କ ବିଶ୍ବସ୍ତ କୁକୁରକୁ ଗୁରୁତ୍ବ ଦେବା ଅଧିକ ଭଲ।

ସମ୍ବନ୍ଧିତ ଖବର