ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍‌, ‘ଦେଶର ଚୌକିଦାର ଚୋର’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରାଜସ୍ଥାନର ଏକ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଛନ୍ତି। ସଗ୍‌ଓ୍ଵାଡ଼ାରେ ଅନୁଷ୍ଠିତ ର‍୍ୟାଲିରେ ରାହୁଲ କହିଥିଲେ, ‘ଗଲି ଗଲି ମେ ସୋର୍‌ ହୈ, ଦେଶ୍‌ କା ଚୌକିଦାର ଚୋର୍‌ ହୈ।’ ରାହୁଲ ଗାନ୍ଧୀ ବିଜୟ ମାଲ୍ୟାଙ୍କ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ବିଜୟ ମାଲ୍ୟା ବ୍ୟାଙ୍କମାନଙ୍କର ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏବଂ ଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲିଙ୍କ ସହିତ ସାକ୍ଷାତ ଆଲୋଚନା ମଧ୍ୟ କରିଥିଲେ। ଜେଟ୍‌୍‌ଲି ମାଲ୍ୟାଙ୍କ ଲଣ୍ଡନ୍‌ ପଳାୟନ ସଂପର୍କରେ ସବୁକଥା ଜାଣିଥିଲେ ବୋଲି ରାହୁଲ କହିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ ରାଜସ୍ଥାନର ବିଜେପି ନେତୃତ୍ୱାଧୀନ ବସୁନ୍ଧରା ରାଜେ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି ଓ ଲୋକଙ୍କ ଟିକସ ଅର୍ଥରେ ସରକାର ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ରାହୁଲ କହିଥିଲେ।

ସମ୍ବନ୍ଧିତ ଖବର