ରାଜୀବ ଗାନ୍ଧି ହତ୍ୟା ମାମଲା; ଫାଶୀ ୱାରେଣ୍ଟ ୭ ଥର ପାଇଥିଲି: ନଳିନୀ

ରାଜୀବ ହତ୍ୟା ଷଡ଼ଯନ୍ତ୍ରରେ ମୋର ଭୂମିକା ନଥିଲା, ଜେଲ୍‌ରେ ଭେଟିବା ବେଳେ କାନ୍ଦିଥିଲେ ପ୍ରିୟଙ୍କା

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଦୋଷୀ ନଳିନୀ ଶ୍ରୀହରନ ଜେଲ୍‌ରୁ ଖଲାସ ହେବାପରେ ଗଣମାଧ୍ୟମକୁ କହିଛି ଯେ ଏହି ହତ୍ୟା ଷଡ଼ଯନ୍ତ୍ରରେ ତା’ର କୌଣସି ସଂପୃକ୍ତି ନଥିଲା। ତେବେ ଏହି ଷଡ଼ଯନ୍ତ୍ରରେ ସାମିଲ ଗୋଷ୍ଠୀ ସହ ତା’ର ସଂପର୍କ ଥିବା ନଳିନୀ କହିଛି। ‘ମୋର ସ୍ବାମୀଙ୍କ ବନ୍ଧୁମାନେ ଏହି ଷଡ଼ଯନ୍ତ୍ର କରିଥିଲେ ଏବଂ ମୁଁ ସେମାନଙ୍କୁ ଜାଣିଥିଲି’ ବୋଲି ନଳିନୀ କହିଛି। ଜେଲ୍ ରହଣି ସମୟରେ ମତେ ୭ ଥର ଫାଶୀ ୱାରେଣ୍ଟ୍‌ ମିଳିଥିଲା ଏବଂ ମୁଁ ଫାଶୀ ପାଇଁ ମଧ୍ୟ ପ୍ରସ୍ତୁତ ରହିଥିଲି ବୋଲି ସେ କହିଛି।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବା ନେଇ ନଳିନୀ କହିଛି ଯେ ୨୦୦୮ ମସିହାରେ ତାକୁ ପ୍ରିୟଙ୍କା ଭେଟିଥିଲେ। ‘ଜେଲ୍‌ରେ ଭେଟିବା ସମୟରେ ପ୍ରିୟଙ୍କା ପିତାଙ୍କ ହତ୍ୟା ସଂପର୍କରେ କେତେକ ପ୍ରଶ୍ନ କରି କାନ୍ଦି ପକାଇଥିଲେ। ମତେ ଭେଟିବା ବେଳେ ପ୍ରିୟଙ୍କା ଅତ୍ୟନ୍ତ ଭାବପ୍ରବଣ ଥିଲେ ଏବଂ ପିତାଙ୍କୁ ମନେ ପକାଇ କେତେକ ପ୍ରଶ୍ନ କରିଥିଲେ। ରାଜୀବଙ୍କ ହତ୍ୟା ନେଇ ମୁଁ ଯାହା ଜାଣିଥିଲି ତାଙ୍କୁ କହିଥି‌ଲି’ ବୋଲି ନଳିନୀ କହିଛି। ଆଗାମୀ ଦିନରେ ସେ ବ୍ରିଟେନ୍‌ ଯାଇ ସେଠାରେ ରହୁଥିବା ଝିଅ ହରିଥ୍ରାକୁ ଭେଟିବ ବୋଲି ନଳିନୀ କହିଛି। ସୂଚନାଯୋଗ୍ୟ, ରାଜୀବ ହତ୍ୟା ମାମଲାରେ ନଳିନୀ ବିରୋଧରେ ୧୭ଟି ମାମଲା ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ୧୯୯୧ରେ ଗିରଫ ସମୟରେ ନଳିନୀର ବୟସ ୨୪ ବର୍ଷ ଥିଲା ଏବଂ ସେ ୩୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବା ପରେ ଖଲାସ ହୋଇଛି।

ଆତଙ୍କବାଦୀ ନୁହଁ, ଆମେ ପୀଡ଼ିତ: ରବିଚନ୍ଦ୍ରନ

ମଦୁରାଇ: ସୁପ୍ରିମକୋର୍ଟଙ୍କ ଦ୍ବାରା ମୁକ୍ତ ହୋଇଥିବା ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ରବିଚନ୍ଦ୍ରନ କହିଛି ଯେ ଆତଙ୍କବାଦୀ କିମ୍ବା ହତ୍ୟାକାରୀ ପରିବର୍ତ୍ତେ ଲୋକେ ଆମକୁ ପୀଡ଼ିତ ଭାବରେ ଦେଖିବା ଉଚିତ। କିଏ ଆତଙ୍କବାଦୀ ଆଉ କିଏ ସ୍ୱାଧୀନତା ସଂଗ୍ରାମୀ ତାହା ସମୟ ନିର୍ଣ୍ଣୟ କରେ ବୋଲି ସେ ଗଣମାଧ୍ୟମକୁ କହିଛି। ତିନି ଦଶନ୍ଧି ପରେ ଜେଲରୁ ମୁକ୍ତ ହୋଇଥିବା ରବିଚନ୍ଦ୍ରନ କହିଛି, ଆତଙ୍କବାଦୀ ହେବାର ଦୋଷ ଆମେ ବହନ କଲେ ମଧ୍ୟ ସମୟ ଆମକୁ ନିର୍ଦ୍ଦୋଷ ବୋଲି ବିଚାର କରିବ। ମୃତ୍ୟୁଦଣ୍ଡ ପାଇବା ଭଳି ସେମାନେ କିଛି କରିନାହାନ୍ତି ବୋଲି ଉଲ୍ଲେଖ କରି ରବିଚନ୍ଦ୍ରନ କହିଛି, ଆମେ ତାମିଲର ଗର୍ବ ଏବଂ ତାମିଲ ଆନ୍ଦୋଳନ ପାଇଁ କିଛି କାମ କରିଛୁ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଆମେ ସଂପୃକ୍ତ ନୋହୁଁ। ରାଜ୍ୟବାସୀ ଏ ସଂପର୍କରେ ଭଲଭାବେ ଅବଗତ ବୋଲି ରବିଚନ୍ଦ୍ରନ କହିଛି।

ସମ୍ବନ୍ଧିତ ଖବର