ଜୟପୁରରେ ଆଲୋଡ଼ନ: ୬ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଜୟପୁର: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳିଥିବା ବେଳେ ଏବେ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ଜଣେ ୬ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆଲିଗଡ଼ ଥାନା ଅଂଚଳରେ ଘଟିଥିବା ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶିଶୁଟିକୁ ସେ ପିନ୍ଧିଥିବା ସ୍କୁଲ ବେଲ୍‌ଟରେ ହିଁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଶନିବାର ଦିନ ଶିଶୁଟି ସ୍କୁଲରୁ ଘରକୁ ନ ପହଞ୍ଚିବାରୁ ପରିବାର ଲୋକେ ଖୋଜଖବର ନେବା ଆରମ୍ଭ କରିଥିଲେ ଏବଂ ପୁଲିସରେ ଖବର ଦେଇଥିଲେ। ପୁଲିସ ଆଲିଗଡ଼ ନିକଟସ୍ଥ ଖେଡଲି ଗ୍ରାମରୁ ଶିଶୁର ଶବ ଜବତ କରିଛି। ଶିଶୁଟିକୁ ଦୁଷ୍କର୍ମ ପରେ ହତ୍ୟା କରି ଏକ ବୁଦା ଭିତରେ ଫୋପାଡ଼ି ଦିଆଯାଇଥିଲା। ସେ ପିନ୍ଧିଥିବା ସ୍କୁଲ୍‌ ବେଲ୍‌ଟକୁ ହିଁ ବ୍ୟବହାର କରି ତାକୁ ହତ୍ୟା କରାଯାଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ଶବକୁ ପୋଷ୍ଟମର୍ଟମ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅପରାଧୀକୁ ପୁଲିସ ଚିହ୍ନଟ କରିଥିଲେ ମଧ୍ୟ ତାକୁ ଆଜି ରାତି ସୁଦ୍ଧା ଗରିଫ କରିବାରେ ସକ୍ଷମ ହୋଇନାହିଁ। ଜିଲ୍ଲା ପୁଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅପରାଧୀକୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର