ପୁରୁଣା ପେନସନ ସ୍କିମ୍ ପୁଣି ଲାଗୁ କରିବା ରାଜ୍ୟମାନଙ୍କୁ ଆର୍ଥିକ ସଂକଟଆଡ଼କୁ ଟାଣିନେବ : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ  : କେତେକ ରାଜ୍ୟ ପୁଣି ପୁରୁଣା ପେନସନ ସ୍କିମ ଲାଗୁ କରିଥିବାରୁ ତାହାକୁ ନେଇ ସତର୍କବାଣୀ ଶୁଣାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୁରୁଣା ପେନସନ ସ୍କିମ ଲାଗୁ ହେବା ଦ୍ବାରା ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ବିପନ୍ନ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିଛି ।

ନିକଟରେ କେତେକ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ ପୁରୁଣା ପେନସନ ସ୍କିମ ଲାଗୁ କରିଛନ୍ତି । ଏସବୁ ରାଜ୍ୟର ଆର୍ଥିକ ସ୍ଥିତି ଚିନ୍ତାଜନକ ଥିଲେ ବି ଏସବୁ ରାଜ୍ୟ ଏହା ଲାଗୁ କରିଛନ୍ତି । ଝାଡ଼ଖଣ୍ଡ ବି ଏହାକୁ ଲାଗୁ କରିଛି । ଆଗକୁ ପଂଜାବ ପରି ଆଉ କେତେକ ରାଜ୍ୟବି ପୁରୁଣା ପେନସନ ସ୍କିମ ଲାଗୁ ପାଇଁ ଯୋଜନା କରୁଛନ୍ତି ।

ଏ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କହିଛି ଯେ ପୁରୁଣା ପେନସନ ସ୍କିମ ରାଜ୍ୟମାନଙ୍କୁ ଆର୍ଥିକ ସ୍ଥିତିକୁ ବିପନ୍ନ କରିବ । ଆର୍ଥିକ ଦୃଷ୍ଟିକୋଣରୁ ଏହା ଏକ ବଡ଼ ବିପଦ ଭାବେ ଦେଖାଦେଇଛି । କୌଣସି ପାଣ୍ଠି ବ୍ୟବସ୍ଥା ନ କରି ଏହି ସ୍କିମ ଲାଗୁ କରି ରାଜ୍ୟମାନେ ବର୍ତ୍ତମାନର ଖର୍ଚ୍ଚକୁ ଭବିଷ୍ୟତକୁ ଘୁଞ୍ଚାଇଦେଇଛନ୍ତି । ଭବିଷ୍ୟତରେ ଏହା ଏକ ବଡ଼ ପେନସନ ବୋଝରେ ପରିଣତ ହେବ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାରଦିନ ପ୍ରକାଶିତ ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସଂପର୍କିତ ରିପୋର୍ଟରେ ଏ ନେଇ ସତର୍କ କରାଇଦିଆଯାଇଛି ।

ସୂଚନାଯୋଗ୍ୟ ଯେ ୨୦୦୪ରେ ତତକାଳୀନ ବାଜପେୟୀ ସରକାର ପୁରୁଣା ପେନସନ ସ୍କିମକୁ ହଟାଇ ନୂଆ ପେନସନ ସ୍କିମ ଲାଗୁ କରିଥିଲେ ।

 

 

ସମ୍ବନ୍ଧିତ ଖବର