ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନ ନଦୀ ପ୍ରଦୂଷଣ ବଢ଼ାଉଛି: ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ନିହାଲ ଚାନ୍ଦ ନଦୀ ଜଳ ପ୍ରଦୂଷଣ ହେବା ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପ୍ରଶ୍ନ କରିଥିଲେ | ଗତ ୨ବର୍ଷ ମଧ୍ୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ନଦୀରେ ପ୍ରଦୂଷଣ ସମ୍ପର୍କରେ ସରକାରଙ୍କୁ କୌଣସି ରିପୋର୍ଟ ଦାଖଲ କରିଛି କି ନାହିଁ ଏବଂ ଯଦି ହଁ, ତେବେ ଏନେଇ ସରକାର କ’ଣ ପଦକ୍ଷପ ଗ୍ରହଣ କରିଛନ୍ତି ବୋଲି ନିହାଲ ଚାନ୍ଦ ପ୍ରଶ୍ନ କରିଥିଲେ |

ଏହାର ଉତ୍ତର ରଖି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ, ମୁଖ୍ୟତଃ ସହରାଞ୍ଚଳରୁ ବା ବିଭିନ୍ନ କାରଖାନାରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ କାରଣରୁ ଦେଶରେ ନଦୀଗୁଡିକ ପ୍ରଦୂଷିତ ହେଉଛି |  ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନ ଏହି ସମସ୍ୟାକୁ ଆହୁରି ଜଟିଳ କରିଛି | ମାର୍ଚ୍ଚ ୨୦୨୧ରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶର ସହରାଞ୍ଚଳରୁ ଜଳ ନିଷ୍କାସନ କ୍ଷମତା ଦିନକୁ ୩୧,୮୪୧ ନିୟୁତ ଲିଟର ଥିବା ବେଳେ ପ୍ରତିଦିନ ସହରାଞ୍ଚଳରୁ ଦିନକୁ ୭୨,୩୬୮ ନିୟୁତ ଲିଟର ପ୍ରଦୂଷିତ ଜଳ ନିଷ୍କାସିତ ହେଉଛି | କ୍ଷମତାଠାରୁ ଅଧିକ ପ୍ରଦୂଷିତ ଜଳ ନିଷ୍କାସନ ହେଉଥିବାରୁ ନଦୀଗୁଡ଼ିକରେ ପ୍ରଦୂଷଣ ବୃଦ୍ଧି ପାଉଛି |

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ / କମିଟି ସହିତ ମିଳିତ ଭାବରେ ସିପିସିବି, ନଦୀ ଜଳର ଗୁଣବତ୍ତା ଉପରେ ନଜର ରଖିଛି | ଜଳ ଗୁଣବତ୍ତା ମନିଟରିଂ ଫଳାଫଳକୁ ଆଧାର କରି ନଦୀଗୁଡ଼ିକର ପ୍ରଦୂଷଣ ଆକଳନ ସମୟ ସମୟରେ ସିପିସିବି ଦ୍ୱାରା କରାଯାଇଥାଏ। ଜଳ ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷିତ ଜଳ ନଦୀରେ ମିଶିବା ପୂର୍ବରୁ ଏହାକୁ ସଫା କରିବା ରାଜ୍ୟ / କେନ୍ଦ୍ରଶାସିତ ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକର ଦାୟିତ୍ୱ ଅଟେ। ପ୍ରଦୂଷଣ ରୋକିବାରେ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ପକ୍ଷରୁ ବିଭିନ୍ନ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇଦିଆଯାଉଛି |

ନଦୀର ସଫେଇ / ନବୀକରଣ ପାଇଁ ୨୦୧୯-୨୦ରେ ଜାତୀୟ ନଦୀ ସଂରକ୍ଷଣ ଯୋଜନା ଅଧୀନରେ ୧୩୬.୬୬କୋଟି ଟଙ୍କା ଦିଆଯାଇଥିବା ବେଳେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ୨୬୭୩.୦୯କୋଟି ଟଙ୍କା ଦିଆଯାଇଛି | ସେହିଭଳି ୨୦୨୦-୨୧ରେ ଜାତୀୟ ନଦୀ ସଂରକ୍ଷଣ ଯୋଜନା ଅଧୀନରେ ୯୯.୮୭କୋଟି ଟଙ୍କା ଦିଆଯାଇଥିବା ବେଳେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ୧୩୩୯.୯୭ କୋଟି ଟଙ୍କା ଦିଆଯାଇଛି |

ଓଡ଼ିଶାରେ ୧୯ଟି ନଦୀ ପ୍ରଦୂଷିତ ହୋଇଥିବା ବେଳେ ସେଥିରେ ରହିଛନ୍ତି ଗଙ୍ଗୁଆ, ଗୁରୁଡିନଳା, କାଠଯୋଡ଼ି, ନନ୍ଦିରାଝର, ଦୟା, କୁଆଖାଇ, ବାଙ୍ଗୁରୁନଳା, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମି, ମହାନଦୀ, ମଙ୍ଗଳା, ନାଗାବଳୀ, ଲୁଣା, ରତ୍ନଚିରା, ଋଷିକୂଲ୍ୟା, ସାବୁଲିଆ ଏବଂ ସେରୁଆ |

ସମ୍ବନ୍ଧିତ ଖବର