ସଂରକ୍ଷଣ ସତ୍ତ୍ବେ ପ୍ରଶାସନିକ ସେବାରେ ଏସ୍‌ସି/ଏସ୍‌ଟିଙ୍କ ନିଯୁକ୍ତି ସୀମିତ

ନୂଆଦିଲ୍ଲୀ: ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଉପଜାତି (ଏସ୍‌ଟି) ଓ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଲୋକେ ଗୁରୁତ୍ବପୂର୍ଣ୍ଣ ସର୍ବଭାରତୀୟ ପ୍ରଶାସନିକ ଚାକିରିରେ ସମାନୁପାତିକ ସଂଖ୍ୟାରେ ନିଯୁକ୍ତି ପାଇପାରୁ ନ ଥିବା ପାର୍ଲାମେଣ୍ଟରେ ଉପସ୍ଥାପିତ ଗତ ୫ ବର୍ଷର ସରକାରୀ ତଥ୍ୟରୁ ଜଣାପଡ଼ିଛି।

ସରକାରୀ ତଥ୍ୟ ଅନୁସ‌ାରେ, ଏହି ସମୟ ମଧ୍ୟରେ ୪,୩୬୫ ଜଣ ଲୋକ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୁଲିସ ସେବା (ଆଇପିଏସ୍) ଓ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ରେ ସିଧାସଳଖ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩୩୪ ଜଣ (୭.୬୫%) ଏସ୍‌ସି, ୧୬୬ ଜଣ (୩.୮%) ଏସ୍‌ଟି ଓ ୬୯୫ ଜଣ (୧୫.୯୨%) ଓବିସି ସମ୍ପ୍ରଦାୟର ଅଛନ୍ତି।

ଏହି ସେବାଗୁଡ଼ିକରେ ଏସ୍‌ସି ପାଇଁ ୧୫ ପ୍ରତିଶତ, ଏସ୍‌ସି ପାଇଁ ୭.୫ ପ୍ରତିଶତ ଓ ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷିତ ରହିଥିବା ବେଳେ ବାସ୍ତବ କ୍ଷେତ୍ରରେ ଏତିକି ସଂଖ୍ୟକ ଉକ୍ତ ସମ୍ପ୍ରଦାୟର ଲୋକ ନିଯୁକ୍ତି ପାଇପାରୁ ନାହାନ୍ତି।

ଜନୈକ ସିପିଏମ୍‌ ସାଂସଦ ଜନ ବ୍ରିଟାସଙ୍କ ପ୍ରଶ୍ନର ଉତ୍ତରରେ କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉକ୍ତ ପାଞ୍ଚବର୍ଷର ତଥ୍ୟ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ବ୍ରିଟାସ କହିଛନ୍ତି, ଏସ୍‌ସି, ଏସ୍‌ଟି ଓ ଓବିସି ହେଉଛନ୍ତି ଜନସଂଖ୍ୟାର ତିନିଚତୁର୍ଥାଂଶ। ସଂରକ୍ଷଣ ଫର୍ମୁଲାରେ ସେମାନଙ୍କୁ ସର୍ବଭାରତୀୟ ପ୍ରଶାସନିକ ଚାକିରିରେ ୪୯.୫ ପ୍ରତିଶତ ନିଯୁକ୍ତି ମିଳିବା କଥା। ଅଥଚ ମାତ୍ର ୨୭.୩୭ ପ୍ରତିଶତ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର