ସ୍ମରଣୀୟ ରହିବ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ କାର୍ଯ୍ୟକ‌ାଳ

ନୂଆଦିଲ୍ଲୀ (ନଇମ୍‌ ଅଖ୍‌ତର): ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ୧୩ ମାସର କାର୍ଯ୍ୟକାଳ ବେଶ୍ ଘଟଣାବହୁଳ ରହିଥିଲା। ଜଷ୍ଟିସ୍ ମିଶ୍ର ଯେତେବେଳେ ୨୦୧୭ ଅଗଷ୍ଟରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ, ସେହି ସମୟ‌େର କାହାରିକୁ ଆଭାସ ନଥିଲା ଦେଶର ନ୍ୟାୟପାଳିକାର ମୁଖିଆଙ୍କୁ ମହାଭିଯୋଗର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ର କଠିନ ସମୟକୁ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଭାବେ ତୁଲାଇବା ସହିତ କାର୍ଯ୍ୟ ସମ୍ପାଦନ କଲେ। ରାଜନୈତିକ ସ୍ତରରୁ ଆସିଥିବା ପ୍ରତିବନ୍ଧକଗୁଡ଼ିକୁ ପାର୍ କରିବା ପରେ ନିଜ ୧୩ ମାସର କାର୍ଯ୍ୟକାଳରେ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ଓ ଐତିହାସିକ ରାୟ ପ୍ରଦାନ କଲେ, ‌େଯଉଁଥିପାଇଁ ଭବିଷ୍ୟତ ପିଢ଼ି ତାଙ୍କୁ ମନେରଖିବ।

ଜଷ୍ଟିସ୍ ମିଶ୍ରଙ୍କ ପାଣ୍ଡିତ୍ୟକୁ ନେଇ କେହି ମଧ୍ୟ ସନ୍ଦେହ କରିପାରିବେ ନାହିଁ। ଏପରିକି ଯେଉଁମାନେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ, ସେମାନେ ମଧ୍ୟ ଏହି ସନ୍ଦେହ କରିପାରିବେ ନାହିଁ। ବିଚାରପତିଙ୍କ ଜ୍ଞାନ, ପାଣ୍ଡିତ୍ୟ, ପ୍ରତିଭା ତଥା ଯୋଗ୍ୟତାର ମାପକାଠି ବିଭିନ୍ନ ଜଟିଳ ପ୍ରସଙ୍ଗରେ ତାଙ୍କ ଦ୍ବାରା ଦିଆଯାଇଥିବା ରାୟ ଭିତ୍ତିରେ ଆକଳନ କରାଯାଇଥାଏ। ଜ୍ଞାନ ଓ ପାଣ୍ଡିତ୍ୟ ସହ ଅନ୍ୟ ଏକ ଗୁଣ ତାଙ୍କ ପାଖରେ ରହିଛି, ତାହା ହେଉଛି ଧେର୍ଯ୍ୟ। ଅଦାଲତରେ ଶୁଣାଣି ଦୀର୍ଘ ସମୟ ଧରି ଚାଲିଥାଏ। ଅନେକ ସମୟରେ ଅତ୍ୟନ୍ତ ଗମ୍ଭୀର ଯୁକ୍ତିତର୍କ ମଧ୍ୟ ହୋଇଥା‌ଏ। ବେଳେବେଳେ ଜ୍ଞାନୀ ଓ କାର୍ଯ୍ୟଦକ୍ଷ ବିଚାରପତିମାନେ ନିଜର ଧୈର୍ଯ୍ୟକୁ ହରାଇଥାନ୍ତି। ହେଲେ ଜଷ୍ଟିସ୍ ମିଶ୍ର ତାଙ୍କର ଅସୀମ ଧୈର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର।

ସୁପ୍ରିମ୍ କୋର୍ଟର ଦୈନନ୍ଦିନ କାର୍ଯ୍ୟ‌େର ସଂପୃକ୍ତ ଥିବା ବ୍ୟକ୍ତିମାନେ ଜାଣିଥାନ୍ତି ସମୁଦାୟ ବ୍ୟବସ୍ଥାରେ କିଭଳି ବରିଷ୍ଠ ଆଇନଜୀବୀଙ୍କର ଆଧିପତ୍ୟ ରହିଛି। ପ୍ରତ୍ୟେକ ମାମଲାରେ ବରିଷ୍ଠ ଓକିଲ ନିଜର ତର୍କ ଉପସ୍ଥାପନ କରିବାର ପ୍ରତୀୟମାନ ହୋଇଥା‌ଏ। କିନ୍ତୁ ଜଷ୍ଟିସ୍ ମିଶ୍ର କନିଷ୍ଠ ଓକିଲମାନଙ୍କୁ ମଧ୍ୟ କହିବାକୁ ସୁଯୋଗ ଦେଇଥାନ୍ତି। ଜଷ୍ଟିସ୍ ମିଶ୍ର ବରିଷ୍ଠ ଓକିଲଙ୍କ ଆଧିପତ୍ୟକୁ ହ୍ରାସ କରିବା ପାଇଁ ପ୍ରୟାସ କଲେ। କେବଳ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଭାବେ ସେ ଏହାକୁ କ୍ରିୟାନ୍ବୟନ କରିବା ପାଇଁ ପ୍ରୟାସ ଆରମ୍ଭ କଲେ ତାହା ନୁହେଁ, ସେ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ଯୋଗଦେବା ତଥା‌ ବିଚାରପତି ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟ‌େର ବିଚାରପତିି ଥିବା ସମୟରେ ଯୁବ ଓକିଲମାନଙ୍କୁ ଉତ୍ସାହିତ କରିଥିଲେ। ଏହା‌ ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ପ୍ରଧାନ ବିଚାରପତିଙ୍କ ଅନ୍ୟ ଏକ ପ୍ରମୁଖ ଗୁଣ ହେଉଛି ସେ ବହୁତ ପରିଶ୍ରମୀ। ପ୍ରଧାନ ବିଚାରପତିି ଜଷ୍ଟିସ୍ ମିଶ୍ର ନିଜର ବିଚକ୍ଷଣ ପ୍ରତିଭାର ଛାପ ତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାୟମାନଙ୍କରେ ପ୍ରକାଶ କରିଥିଲେ। ଦିଲ୍ଲୀର କେଜ୍ରିୱାଲ୍ ସରକାର ଏବଂ କେନ୍ଦ୍ରର ମୋଦୀ ସରକାରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଜାରି ରହିଥିବା ଟଣାଓଟରାକୁ ତାଙ୍କ ଦ୍ବାରା ଗଠନ କରାଯାଇଥିବା ସମ୍ବିଧାନ ପୀଠ ଦ୍ବାରା ଦୂର କରାଯାଇଥିଲା। ଅତ୍ୟନ୍ତ ଜଟିଳ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ପ୍ରସଙ୍ଗ‌େର ତାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାୟ ଯୁଗ ଯୁଗ ଧରି ମନେରହିବ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ‌େର ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର