ଆସାମ-ମେଘାଳୟ ସୀମାରେ ହୋଇଥିବା ହିଂସାକାଣ୍ଡରେ ୬ ଜଣଙ୍କର ମୃତ୍ୟୁ

ଗୌହାଟୀ: ଆଜି ସକାଳେ ଆସାମ-ମେଘାଳୟ ସୀମାରେ ହିଂସାକାଣ୍ଡ ଘଟିଛି | ଆଉ ଏହି ସମୟରେ ଗୁଳି ବିନିମୟ ଘଟିଥିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ପୁଲିସ ଏକ ଚୋରା କାଠ ନେଇ ଯାଉଥିବା ଟ୍ରକକୁ ଅଟକାଇଥିଲା। ଯାହାପରେ ହିଂସାକାଣ୍ଡ ହୋଇଥିଲା ଓ ଏହି ଘଟଣାରେ ଜଣେ ଫରେଷ୍ଟରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି |ଏହି ଘଟଣା ପରେ ମେଘାଳୟ ସରକାର ଆସନ୍ତା ୪୮ ଘଣ୍ଟା ପାଇଁ ୭ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି। ପଶ୍ଚିମ ୟୋତିଆ ହିଲସ, ପୂର୍ବ ୟୋତିଆ ହିଲସ, ପୂର୍ବ ଖାସି ହିଲସ, ରି-ଭୋଇ, ପୂର୍ବ ପଶ୍ଚିମ ଖାସି ହିଲସ, ପଶ୍ଚିମ ଖାସି ହିଲସ ଏବଂ ଦକ୍ଷିଣ ପଶ୍ଚିମ ଖାସି ହିଲସରେ ଇଣ୍ଟରନେଟ ବନ୍ଦ ରଖାଯାଇଛି। ମିଳିଥିବା ସୂଚନା ମୁତାବକ ମେଘାଳୟ ସୀମାରେ ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ମୋଇକ୍ରାଙ୍ଗରେ ଆସାମ ବନ ବିଭାଗ ଦଳ ଏହି ଟ୍ରକକୁ ଅଟକାଇଥିଲା। ଟ୍ରକ ଡ୍ରାଇଭର ଖସିଯିବାକୁ ଚେଷ୍ଟା କଲା ପରେ ବନ କର୍ମଚାରୀ ତାଙ୍କୁ ଗୋଡ଼ାଇଥିଲେ। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା କହିଛନ୍ତି ଯେ ଏହି ଘଟଣାରେ ମେଘାଳୟର ପାଞ୍ଚ ଜଣ ଏବଂ ଆସାମର ଜଣେ ବନ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ମେଘାଳୟ ପୁଲିସ ପକ୍ଷରୁ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ କରାଯାଇଥିଲା। ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ମେଘାଳୟର ବହୁ ସଂଖ୍ୟକ ଲୋକ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ସକାଳ ପ୍ରାୟ ୫ଟା ସମୟରେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଆତ୍ମସୁରକ୍ଷା ପାଇଁ ପୁଲିସ ଦଳକୁ ଫାୟାରିଂ କରିବାକୁ ପଡ଼ିଥିଲା | ଆଉ ଏଥିରେ ଜଣେ ଫରେଷ୍ଟ ଗାର୍ଡ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ ଫରେଷ୍ଟ ଗାର୍ଡ ବିଦ୍ୟା ସିଂ ଲେହେଟେ ହୋଇଥିବାବେଳେ ଏହି ଘଟଣାରେ ଅନ୍ୟ ଜଣେ ଫରେଷ୍ଟ ଗାର୍ଡ ଅଭିମନ୍ୟୁ ଆହତ ହୋଇଛନ୍ତି। ମାର୍ଚ୍ଚ ମାସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହେବାର କିଛି ମାସ ପରେ ଏହି ହିଂସା ଘଟିଛି।

ସମ୍ବନ୍ଧିତ ଖବର