ମନ୍ତ୍ରିମଣ୍ଡଳର ବହୁ ମନ୍ତ୍ରୀଙ୍କୁ ବରଖାସ୍ତ କଲେ ପ୍ରଧାନମନ୍ତ୍ରୀ ଋଷି ସୁନକ; ଜେରେମି ହଣ୍ଟ ଅର୍ଥମନ୍ତ୍ରୀ ରହିବେ

ଇଂଲଣ୍ଡ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ଏକ ଘଣ୍ଟା ମଧ୍ୟରେ ତୁରନ୍ତ ତାଙ୍କର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ସେ ତାଙ୍କ ନୂତନ କ୍ୟାବିନେଟ୍‌ ଗଠନ ପ୍ରକ୍ରିୟା ଆରମ୍ଭ କରିବା ସହ ପୂର୍ବ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ମନ୍ତ୍ରିମଣ୍ଡଳରେ ଥିବା ଅନେକ ସଦସ୍ୟଙ୍କ ସେମାନଙ୍କ ଇସ୍ତଫା ମାଗିଛନ୍ତି।

ଏ ପର୍ଯ୍ୟନ୍ତ ତିନି ଜଣ ମନ୍ତ୍ରୀଙ୍କୁ ପଦ ଛାଡିବାକୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ବାଣିଜ୍ୟ ମନ୍ତ୍ରୀ ଜାକବ ରିସ୍‌-ମୋଗ୍‌, ଆଇନ ମନ୍ତ୍ରୀ ବ୍ରାଣ୍ଡନ୍‌ ଲୁଇସ୍‌ ଏବଂ ବିକାଶ ମନ୍ତ୍ରୀ ଭିକି ଫୋର୍ଡ ରହିଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ରିପୋର୍ଟରୁ ଜଣାପଡିଛି ଯେ ଜେରେମି ହଣ୍ଟ ଅର୍ଥମନ୍ତ୍ରୀ ଭାବରେ ପୂର୍ବଭଳି କାର୍ଯ୍ୟ କରିବେ।

ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଥମ ଅଭିଭାଷଣରେ ଶ୍ରୀ ସୁନକ ଅର୍ଥନୈତିକ ସ୍ଥିରତା ଏବଂ ଦକ୍ଷତାକୁ ଏହି ସରକାରଙ୍କ ଏଜେଣ୍ଡାର କେନ୍ଦ୍ରରେ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ନିର୍ବାଚନକୁ ତାଙ୍କ ପୂର୍ବବର୍ତ୍ତୀମାନଙ୍କ ହୋଇଥିବା ଭୁଲ୍‌କୁ ଠିକ୍‌ କରିବା ପାଇଁ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରି ସେ କହିଛନ୍ତି, ‘ନୂତନ ସରକାର ବିଶ୍ୱାସ ଅର୍ଜନ କରିବା ସହ ସମସ୍ତଙ୍କର ବିଶ୍ୱାସଭାଜନ ହେବ। ପ୍ରଧାନମନ୍ତ୍ରୀ ସୁନକ କହିଛନ୍ତି ତାଙ୍କ ସରକାର ଜାତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା (ଏନଏଚଏସ), ବିଦ୍ୟାଳୟ, ସୁରକ୍ଷିତ ରାସ୍ତା, ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶ୍ରୁତି ପୂରଣ କରିବ। ନୂତନ ସରକର ପ୍ରତ୍ୟେକ ସ୍ତରରେ ନିଜର ଅଖଣ୍ଡତା, ବୃତ୍ତିଗତତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର