ଲାଲୁଙ୍କୁ କିଡ଼ନି ଦେବେ ଝିଅ ରୋହିଣୀ

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବଙ୍କର କିଡ଼ନି ପ୍ରତିରୋପଣ ହେବ। କିଡ଼ନିଜନିତ ବିଭିନ୍ନ ସମସ୍ୟା ପାଇଁ ଲାଲୁ ଗତମାସରେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇଥିଲେ। ଡାକ୍ତରମାନେ ଲାଲୁଙ୍କ କିଡନି ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥି‌ଲେ। ଏହାପରେ ଲାଲୁଙ୍କ ଝିଅ ତାଙ୍କୁ କିଡ଼ନି ଦାନ କରିବାକୁ ଆଗେଇ ଆସିଛନ୍ତି। ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଦ୍ବିତୀୟ କନ୍ୟା ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡ଼ନି ଦେବେ। ଲାଲୁ ଗତ ମାସରେ ସିଙ୍ଗାପୁରରୁ ଦିଲ୍ଲୀ ଫେରିଥିଲେ। ଏବେ ସେ ଦିଲ୍ଲୀରେ ଅଛନ୍ତି। ତେବେ କିଡ଼ନି ପ୍ରତିରୋପଣ ଅସ୍ତ୍ରୋପଚାର କେଉଁଠି ଏବଂ କେବେ ହେବ ତାହା ସ୍ପଷ୍ଟ ଜଣା ପଡ଼ିନି।

ପୂର୍ବରୁ ଏମ୍ସରେ ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ସେମାନେ ଏ ସମ୍ପର୍କରେ ଅବଗତ ନାହାନ୍ତି। କିନ୍ତୁ ଯଦି ଅନ୍ୟ ରାଷ୍ଟ୍ରରେ କିଡ଼ନି ପ୍ରତିରୋପଣ ହୁଏ ତେବେ ଏମ୍ସ ଅନୁମତିର କୌଣସି ଆବଶ୍ୟକତା ନାହିଁ। ଚଳିତ ମାସ ଶେଷ ଭାଗରେ ଲାଲୁଙ୍କ କିଡ଼ନି ପ୍ରତିରୋପଣ ହୋଇପାରେ। ଲାଲୁଙ୍କ ଝିଅ ରୋହିଣୀ କହିଛନ୍ତି, ବାପାଙ୍କୁ କିଡ଼ନି ଦେବାକୁ ଯାଉଥିବାରୁ ମୁଁ ଗର୍ବିତ। ଉଲ୍ଲେଖଯୋଗ୍ୟ, ବରିଷ୍ଠ ରାଜନେତା ଏବଂ ବିହାରର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଲାଲୁ ଯାଦବ ଏକାଧିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ।

ସମ୍ବନ୍ଧିତ ଖବର