୧୯୭୧ ଯୁଦ୍ଧ ଜିତିବାରେ ଭାରତୀୟ ନୌସେନାର ଭୂମିକା : କରାଚୀ ବନ୍ଦରକୁ ଛାରଖାର କରିଦେଇଥିଲା

ନୂଆଦିଲ୍ଲୀ : ସମଗ୍ର ଦେଶରେ ଆଜି ଜାତୀୟ ନୌସେନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନା ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦେଶପ୍ରତି ରହିଥିବା ସେମାନଙ୍କର ଅବଦାନ ପାଇଁ ସାଧୁବାଦ ଜଣାଇଛନ୍ତି। ଆମ ନୌସେନା ନିର୍ଭୀକ ଭାବେ ଦେଶର ଉପକୂଳ ସୁରକ୍ଷିତ ରଖିବା ସହ ଆବଶ୍ୟକ ସ୍ଥଳେ ମାନବିକ ସହଯୋଗ ମଧ୍ୟ କରି ଆସିଛି ବୋଲି ମୋଦୀ କହିଛନ୍ତି। ଅପରପକ୍ଷେ, ଭାରତ ଏବେ କୋଭିଡ୍‌-୧୯ର ବିଭୀଷିକା ଏବଂ ଉତ୍ତର ସୀମାରୁ ଚୀନ୍‌ର ଅତିକ୍ରମଣ ଉଦ୍ୟମକୁ ସାମନା କରିବାକୁ ପଡୁଥିବା ବେଳେ ଭାରତୀୟ ନୌସେନା ସବୁପ୍ରକାର ମୁକାବିଲା ପାଇଁ ସମର୍ଥ ବୋଲି ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ କହିଛନ୍ତି। ଏପରିକି ଚୀନ୍‌କୁ ଉଚିତ ଜବାବ ଦେବାକୁ ମଧ୍ୟ ନୌସେନା ପ୍ରସ୍ତୁତ ବୋଲି ନୌସେନା ଦିବସରେ ଉଦ୍‌ବୋଧନ ଦେଇ ଆଡ୍‌ମିରାଲ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ଦେଶରେ ଏଭଳି ନୌସେନା ଦିବସ ପାଳନ ପଛରେ ରହିଥିବା କାରଣ ସମ୍ପର୍କରେ ଜାଣିବା ଲାଗି ପାଠକଙ୍କର ଉତ୍ସୁକତା ରହିବା ସ୍ବାଭାବିକ।

Pinterest

ଏଠାରେ ସ୍ମରଣଯୋଗ୍ୟ, ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ ବେଳେ ଭାରତୀୟ ନୌସେନା ଚଳାଇଥିବା ‘ଅଭିଯାନ ତ୍ରିଶୂଳ’ର ଅଂଶସ୍ବରୂପ କରାଚୀ ବନ୍ଦରରେ କରିଥିବା ଆକ୍ରମଣ ହିଁ ଭାରତକୁ ବିଜୟୀ କରାଇଥିଲା। ସୁତରାଂ ଏହି ଯୁଦ୍ଧରେ ଭାରତର ବିଜୟ ପାଇଁ ନୌସେନାର ବିରଳ କୃତିତ୍ବକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଏଭଳି ନୌସେନା ଦିବସ ପାଳନ କରାଯାଇ ଆସୁଛି। ତେବେ ୧୯୭୧ ମସିହା ଡିସେମ୍ବର ୪ ତାରିଖର ସେହି ଶୀତ ରାତିରେ ନୌସେନାର ଏହି ତ୍ବରିତ ପଦକ୍ଷେପ ପଛରେ ରହିଥିବା ଘଟଣାବଳିର ଅବତାରଣା ହିଁ ଗୁରୁତ୍ବ ବହନ କରୁଛି। ଦର୍ପିତ ପାକିସ୍ତାନ ଡିସେମ୍ବର ୩ ତାରିଖ ରାତିରେ ଯେତେବେଳେ ଭାରତୀୟ ବାୟୁସେନା ଘାଟିଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଦେଲା, ଭାରତୀୟ ନୌସେନା ସେତେବେଳେ ନିର୍ଘାତ, ବୀର ଓ ନିପାତ ନାମକ ତିନିଟି କ୍ଷେପଣାସ୍ତ୍ର ସମ୍ବଳିତ ଜାହାଜକୁ ଦ୍ରୁତ ବେଗରେ କରାଚୀ ବନ୍ଦର ଅଭିମୁଖେ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଏପରିକି ଡିସେମ୍ବର ୪ ରାରିଖ ମଧ୍ୟରାତ୍ରି ପୂର୍ବରୁ ନୌଜାହାଜଗୁଡ଼ିକ ପହଞ୍ଚି ସେଠାରେ ଧ୍ବଂସଲୀଳା ରଚାଇବାକୁ ଯୋଜନା ହୋଇଥିଲା। ତେବେ ଆଶାତୀତ ସଫଳତା ଭାବେ ନୌସେନାର ଏହି ଅପ୍ରତ୍ୟାଶିତ କ୍ଷେପଣାସ୍ତ୍ର ମାଡ଼ରେ ପାକିସ୍ତାନର କରାଚୀ ବନ୍ଦରରେ ଥିବା ତିନି ତିନିଟି ଶକ୍ତ ଯୁଦ୍ଧ ଜାହାଜ ଧ୍ବଂସ ହୋଇଯିବା ସହ କିଆମାରି ଖଣିଜତୈଳ କ୍ଷେତ୍ର ମଧ୍ୟ ଛାରଖାର ହୋଇଯାଇଥିଲା।

ସେହିପରି ଡିସେମ୍ବର ୭ ଓ ୮ ତାରିଖରେ ମଧ୍ୟ ଭାରତର ପଶ୍ଚିମ ତଟରୁ ନୌସେନା ପକ୍ଷରୁ କରାଚୀ ବନ୍ଦର ଉପରେ ପୁଣି ଆକ୍ରମଣ ହୋଇଥିଲା। ଆଇଏନ୍‌ଏସ୍‌ ଉତ୍‌କ୍ଷେପିତ ଚାରିଟି କ୍ଷେପଣାସ୍ତ୍ର ପାକିସ୍ତାନର ଆଉ ଦୁଇଟି ବିଶାଳ ଜାହାଜ ସହ ଗୋଟିଏ ତୈଳବାହୀ ଜାହାଜକୁ ମଧ୍ୟ ଧ୍ବଂସ କରିଦେଇଥିଲା। ଅପରପକ୍ଷେ, ଦେଶର ପୂର୍ବତଟରେ ନିୟୋଜିତ ଆଇଏନ୍‌ଏସ୍‌ ବିଜ୍‌ ସମେତ ଆଇଏନ୍‌ଏସ୍‌ ବିକ୍ରାନ୍ତ ଓ ଆଇଏନ୍‌ଏସ୍‌ ବ୍ରହ୍ମପୁତ୍ର ଭଳି ନୌଜାହାଜ ବଙ୍ଗୋପସାଗରରେ ରହିଥିବା ପୂର୍ବପାକିସ୍ତାନ (ଅଧୁନା ବାଂଲାଦେଶ)ର ଜାହାଜ ସମେତ ନୌସୈନିକମାନଙ୍କୁ ମଧ୍ୟ ସର୍ବସ୍ବାନ୍ତ କରିଦେଇଥିଲେ। ଭାରତୀୟ ନୌସେନାର ଏହି ବଳିଷ୍ଠ ଅବଦାନ ହିଁ ଭାରତକୁ ପାକିସ୍ତାନ ବିରୋଧରେ ବିଜୟୀ କରାଇବା ସହ ବାଂଲାଦେଶ ପାଇଁ ମୁକ୍ତିର ମାର୍ଗ ଫିଟାଇଥିଲା।

ସମ୍ବନ୍ଧିତ ଖବର