ନାମ ନ ନେଇ ରାହୁଲଙ୍କ ବିରୋଧରେ ‘ହେଟ୍ ସ୍ପିଚ୍’ ଅଭିଯୋଗ ଆଣିଲେ ଆରଏସଏସ୍ ନେତା

ହିନ୍ଦୁତ୍ଵବାଦୀମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଛନ୍ତି, ଏପରି କହିବା ମଧ୍ୟ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ

ନୂଆଦିଲ୍ଲୀ: ଘୃଣା ସୃଷ୍ଟି କରୁଥିବା ଯେକୌଣସି ଭାଷଣର ନିନ୍ଦା କରାଯିବା ଉଚିତ। ଘୃଣା ସୃଷ୍ଟିକାରୀଙ୍କୁ ଦଣ୍ଡ ମିଳିବା ଉଚିତ, କାହାରିକୁ ଛଡାଯିବା ଠିକ୍ ନୁହେଁ। କିନ୍ତୁ ସେ କହନ୍ତି ‘ହିନ୍ଦୁତ୍ଵବାଦୀ’ମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଛନ୍ତି। ଏହା ମଧ୍ୟ ହେଟ୍ ସ୍ପିଚ୍(ଘୃଣା ସୃଷ୍ଟିକାରୀ ଭାଷଣ)। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଏଭଳି ମନ୍ତବ୍ୟ ରଖିଛନ୍ତି ଆରଏସଏସ୍ ନେତା ଇନ୍ଦ୍ରେଶ୍ କୁମାର।

ଅଳ୍ପଦିନ ଆଗରୁ ରାହୁଲ ଗାନ୍ଧି କହିଥିଲେ, ଜଣେ ‘ହିନ୍ଦୁତ୍ଵବାଦୀ’ ମହାତ୍ମା ଗାନ୍ଧିଙ୍କୁ ଗୁଳି ମାରିଥିଲା।  ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇନ୍ଦ୍ରେଶ୍ କୁମାର କହିଛନ୍ତି, ଏହାକୁ ପ୍ରମାଣିତ କରିବାକୁ ତାଙ୍କ ପାଖରେ କିଛି ପ୍ରମାଣ ନାହିଁ। ସେ ମିଛ ଅଭିଯୋଗ କରିଛନ୍ତି। ସେମାନେ ୬୦ ବର୍ଷ ହେଲା ଶାସନରେ ଥିଲେ କିନ୍ତୁ ଏହାକୁ ପ୍ରମାଣିତ କରି ପାରିଲେ ନାହିଁ। ଆରଏସଏସ୍ ବିରୋଧରେ ଲଗାଯାଇଥିବା ଅଭିଯୋଗ ମଧ୍ୟ ଘୃଣା ସୃଷ୍ଟିକାରୀ ଭାଷଣ(ହେଟ୍ ସ୍ପିଚ୍) ଅଟେ। ତାଙ୍କ ବିରୋଧରେ କାହିଁକି କୌଣସି ମାମଲା ରୁଜୁ କରାଯାଇ ନାହିଁ।

ଇନ୍ଦ୍ରେଶ୍ ରାହୁଲ ଗାନ୍ଧିଙ୍କ ନାମ ନ ନେଇ କହିଛନ୍ତି, ଯେଉଁମାନେ ଘୃଣା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି ସେମାନେ ଯେତେ ବଡ ଓ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କୁ ଗୋଟିଏ ଚଷମାରେ ଦେଖାଯିବା ଉଚିତ। ଗୋଟିଏ ବର୍ଗ ବା ସଙ୍ଗଠନ ବିରୋଧରେ ଘୃଣା ସୃଷ୍ଟିକାରୀ ପ୍ରମାଣବିହୀନ ଅଭିଯୋଗଗୁଡିକୁ ମଧ୍ୟ ହେଟ୍ ସ୍ପିଚ୍ ଭାବେ ଗ୍ରହଣ କରାଯିବା ଉଚିତ। ଏମାନଙ୍କ ମଧ୍ୟରେ କୌଣସି ଅନ୍ତର ନ ହେଉ, କାରଣ ଏମାନଙ୍କ ପ୍ରକୃତି ଓ କାମ ସମାନଧରଣର; ଘୃଣା ସୃଷ୍ଟିକାରୀ, ଉତ୍ତେଜକ ଓ ବିଭାଜନ ସୃଷ୍ଟିକାରୀ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଇନ୍ଦ୍ରେଶ୍ ଘୃଣା ସୃଷ୍ଟିକାରୀ ରାଜନୀତିରୁ ଦୁର୍ନୀତି ସହ ତୁଳନା କରିଛନ୍ତି। ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଘୃଣା ପ୍ରସାରିତ କରିବା ଓ ସମାଜର ଗୋଟିଏ ବର୍ଗକୁ ଅନ୍ୟ ବର୍ଗ ବିରୋଧରେ ଛିଡା କରାଇବା ଠିକ୍ ନୁହଁ। ଲୋକଙ୍କ ହିତ ଓ ଭାଇଚାରା ସୃଷ୍ଟି ପାଇଁ ରାଜନୀତି କରାଯିବା ଉଚିତ।

ଇନ୍ଦ୍ରେଶ୍ କୁମାର ଆରଏସଏସର ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚର ସଂସ୍ଥାପକ ଅଛନ୍ତି। ତାଙ୍କର କାମ ହେଉଛି ମୁସଲମାନମାନଙ୍କୁ ହିନ୍ଦୁମାନଙ୍କ ନିକଟତର କରିବା।

ସମ୍ବନ୍ଧିତ ଖବର