ରୁଷିଆର ନୂଆ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ

ପୃଥିବୀର ଯେ କୌଣସି ସ୍ଥାନକୁ ଲକ୍ଷ୍ୟଭେଦ କରିପାରିବ

ମସ୍କୋ: ଆଜି ରୁଷିଆ ସେନାବାହିନୀ ଏହାର ଏକ ନୂତନ ଆଣବିକ ଯୁଦ୍ଧାସ୍ତ୍ର ପରିବାହୀ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହ ସଂପନ୍ନ କରିଛି। ସମ୍ପ୍ରତି ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ସମେତ ୧୫ରୁ ଊର୍ଦ୍ଧ୍ୱ ପାଶ୍ଚାତ୍ୟ ରାଷ୍ଟ୍ର ରୁଷିଆକୁ ଏକଘରକିଆ କରି ଚାଲିଥିବା ବେଳେ ରୁଷିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷା ଶୀତଳ ଯୁଦ୍ଧକୁ ପ୍ରୋତ୍ସାହିତ କରିଛି ବୋଲି ସାମରିକ ବିଶେଷଜ୍ଞଙ୍କ ମତ। ରୁଷିଆ ଆଜି ପରୀକ୍ଷା କରିଥିବା ସର୍ମତ୍‌ ନାମକ ଏହି ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ରକୁ ଏହାର ସେନାବାହିନୀରେ ଆଗରୁ ସାମିଲ ହୋଇଥିବା ଭୟେଭୋଡ଼ା ବା ସତାନ୍‌ କ୍ଷେପଣାସ୍ତ୍ର ବଦଳରେ ମୁତୟନ କରାଯିବ ବୋଲି ଜଣେ ବରିଷ୍ଠ ସେନାଧିକାରୀ ସ୍ପଷ୍ଟ କରିିଛନ୍ତି। ଏହି ନୂଆ କ୍ଷେପଣାସ୍ତ୍ର ସମ୍ପର୍କରେ ତତ୍କାଳ ସବିଶେଷ ତଥ୍ୟ ପ୍ରଘଟ ହୋଇନଥିବା ବେଳେ ଚଳିତ ମାସ ପ୍ରାରମ୍ଭରେ ରାଷ୍ଟ୍ରପତି ପୁଟିନ୍‌ ସର୍ମତ୍‌ ସମ୍ପର୍କରେ ପୂର୍ବାଭାସ ଦେଇଥିଲେ। ୨୦୦ ମେଟ୍ରିକ୍‌ ଟନ୍‌ ଓଜନର ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ଏତେ ଅଧିକ ଯେ ଏହା ଉତ୍ତର ମେରୁ ଏବଂ ଦକ୍ଷିଣ ମେରୁ ଉପରେ ଉଡ଼ି ଚାଲିଯିବା ସହ ପୃଥିବୀର ଯେ କୌଣସି ସ୍ଥାନକୁ ମଧ୍ୟ ନିଶାଣ କରିପାରିବ ବୋଲି ପୁଟିନ ସୂଚନା ଦେଇଥିଲେ। ଏପରିକି ସତାନ୍‌ ଅପେକ୍ଷା ସର୍ମତ୍‌ରେ ଅଧିକ ସଂଖ୍ୟକ ଆଣବିକ ଯୁଦ୍ଧାସ୍ତ୍ର ଖଞ୍ଜାଯିବାର ବ୍ୟବସ୍ଥା ରହିଛି। ସୁତରାଂ ରୁଷ ସେନାବାହିନୀରେ ହଠାତ୍‌ ଏପରି ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରଣାଳୀ ସାମିଲ ହେବା ଖବର ପାଶ୍ଚାତ୍ୟ ରାଷ୍ଟ୍ର ସମୂହକୁ ଚିନ୍ତାରେ ପକାଇଛି।

ସମ୍ବନ୍ଧିତ ଖବର