ବିଜେପିକୁ ଭାରୀ ପଡ଼ିବ ସପା-ବସପା ମେଣ୍ଟ

ୟୁପିରେ ହରାଇବ ୩୦ ଲୋକସଭା ଆସନ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମ୍ପ୍ରତି ନୂଆ ନୂଆ ମେଣ୍ଟ କରିଥିବା ଦୁଇ ପରସ୍ପର ବିରୋଧୀ ଦଳ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବସପା) ମଧ୍ୟରେ ଗଠବନ୍ଧନ ବଜାୟ ରହିଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ରାସ୍ତାରେ କଣ୍ଟା ଛାଇଯିବ। ବିଶେଷ କରି ଏହି ଦୁଇ ଦଳ ହାତରେ ରହିଥିବା ପଛୁଆବର୍ଗ, ଦଳିତ ଓ ମୁସ୍‌ଲିମ୍‌ ଭୋଟରଙ୍କ ଧ୍ରୂବୀକରଣ ସଫଳ ହେଲେ ବିଜେପି ସେଠାରେ ୨୫ରୁ ୩୦ ଯାଏ ଲୋକସଭା ଆସନ ହରାଇବ। ଏଭଳି ଆଶଙ୍କା ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ଏନ୍‌ଡିଏ ସହଯୋଗୀ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ(ଆର୍‌ପିଆଇ) ମୁଖ୍ୟ ରାମଦାସ ଅଠାଓ୍ଵଲେ। ତେବେ ଏହା ସତ୍ତ୍ୱେ ଉତ୍ତରପ୍ରଦେଶରେ ବିଜେପିକୁ ୫୦ ପାଖାପାଖି ଆସନ ମିଳିବ ଏବଂ ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ପୁଣି ଶାସନ କରିବ ବୋଲି ଅଠାଓ୍ଵଲେ ଆଶାବାଦୀ ଅଛନ୍ତି।

ସୂଚନାଯୋଗ୍ୟ, ଲୋକସଭାକୁ ଉତ୍ତରପ୍ରଦେଶ ସର୍ବାଧିକ ୮୦ ଜଣ ସାଂସଦ ପଠାଉଥିବା ବେଳେ ୨୦୧୪ ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କ ହାତରେ ୭୩ଟି ଆସନ ପଡ଼ିଥିଲା। ତେବେ ଗତ ଉପନିର୍ବାଚନରେ ସପା-ବସପା ମେଣ୍ଟ ବିଜେପି ହାତରୁ ଗୋରଖପୁର ଏବଂ ଫୁଲପୁର ଆସନକୁ ଛଡ଼ାଇନେଇଛି। ଉପନିର୍ବାଚନ ପରି ସେମାନେ ସମର୍ଥନ ଦୋହରାଇଲେ ସପା-ବସପା ମେଣ୍ଟ ବିଜେପି ଦଖଲରେ ଥିବା ୨୫ରୁ ୩୦ ଆସନ ଛଡ଼ାଇନେବା କିଛି ବିଚିତ୍ର ନୁହେଁ ବୋଲି ଅଠାଓ୍ଵଲେ କହିଛନ୍ତି।

ସମ୍ବନ୍ଧିତ ଖବର