ଯୁଦ୍ଧ ଆଶଙ୍କା ବଢିଲା ! ଶନିବାର ଆଣବିକ ଯୁଦ୍ଧାଭ୍ୟାସ କରିବ ଋଷିଆ

ମସ୍କୋ : ୟୁକ୍ରେନ ସଂକଟକୁ ନେଇ ଚିନ୍ତା ଆହୁରି ବଢାଇଦେଇଛି ଋଷିଆ । ଗୋଟିଏ ପଟେ ସେନା ପ୍ରତ୍ୟାହାର କଥା କହୁଥିବାବେଳେ ଅନ୍ୟପଟେ ଆସନ୍ତା ଶନିବାର ଏକ ବଡ଼ ଧରଣର ଆଣବିକ କ୍ଷୁଦ୍ଧାଭ୍ୟାସ କରିବାକୁ ଯାଉଛି ଋଷିଆ । ଏଥିରେ ଋଷିଆର ଅନ୍ତଃମହାଦେଶୀୟ ବାଲିଷ୍ଟିକ ଓ କ୍ରୁଜ ମିସାଇଲ ଗୁଡ଼ିକର ପରୀକ୍ଷଣ କରାଯିବ । ସମ୍ଭାବ୍ୟ ଆଣବିକ ଯୁଦ୍ଧର ମୁକାବିଲା ପାଇଁ ଋଷିଆ ଏହି ଅଭ୍ୟାସ କରୁଥିବା କୁହାଯାଉଛି । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏହି ଆଣବିକ ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିବେ ।

ଅନ୍ୟପକ୍ଷରେ ଜାତିସଂଘ ମହାସଚିବ ଆଣ୍ଟୋନିଆ ଗୁଏଟାରେସ କହିଛନ୍ତି ଯେ ଋଷିଆ ୟୁକ୍ରେନ ଯୁଦ୍ଧ ହେଲେ ତାହା ସମଗ୍ର ବିଶ୍ବ ପାଇଁ ବିନାଶକୁ ଟାଣିଆଣିବ । ୟୁକ୍ରେନ ସଂକଟର ସମାଧାନ ଲାଗି ଋଷିଆ ସୈନ୍ୟ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିଥିଲେ ବି ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ତାହାକୁ ବିଶ୍ବାସ କରିପାରୁନାହାନ୍ତି । ଋଷିଆ ନିଶ୍ଚିତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିବ ବୋଲି ଆମେରିକା ଓ ନାଟୋ କହୁଛି । ଗତ କାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ, ଯେଉଁସବୁ ସଂକେତ ମିଳୁଛି ତାହା ଦର୍ଶାଉଛି ଯେ ଋଷିଆ ଆସନ୍ତା କିଛି ଦିନ ଭିତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଶୁକ୍ରବାର ବାଇଡେନ ଏହି ପ୍ରସଙ୍ଗରେ କେତେକ ପାଶ୍ଚାତ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ।

ସମ୍ବନ୍ଧିତ ଖବର