ମାସକ ପରେ ପୁଣି କିବ ଉପରେ ଆକ୍ରମଣ, ୫ଟି କେଏଚ-୨୨ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

କିବ୍ : ପ୍ରାୟ ୧ ମାସରେ ବ୍ୟବଧାନ ପରେ ପୁଣି ଥରେ ୟୁକ୍ରେନ ରାଜଧାନୀ କିବ ଉପରେ ମିସାଇଲ ଆକ୍ରମଣ କରିଛି ରୁଷ । ପାଶ୍ଚାତ୍ୟ ଦେଶମାନଙ୍କ ପକ୍ଷରୁ ୟୁକ୍ରେନକୁ ଯୋଗାଇଦିଆଯାଇଥିବା ଟ୍ୟାଙ୍କ ଓ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଧ୍ବଂସ କରିବାକୁ ଏହି ଆକ୍ରମଣ କରାଯାଇଥିଲା ବୋଲି ରୁଷ କହିଛି । ହିପରି ୟୁକ୍ରେନ ଗଣମାଧ୍ୟମ ସୂଚନା ଅନୁସାରେ ରୁଷ ପକ୍ଷରୁ ୫ଟି କେଏଚ-୨୨ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ।

ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ବିଭିନ୍ନ ୟୁରୋପୀୟ ଦେଶ ଯୋଗାଇଥିବା ଟ୍ୟାଙ୍କ ଓ ଯୁଦ୍ଧଯାନ ନଷ୍ଟ ହୋଇଯାଇଛି ।
ଅନ୍ୟପକ୍ଷରେ ରୁଷର ଏହି ଆକ୍ରମଣକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି କହିଛି ୟୁକ୍ରେନ ।

ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମାଇଖାଜଲୋ ପୋଡୋଲିଆକ କହିଛନ୍ତି ଏହା ଏକ ଆତଙ୍କବାଦୀ କାଣ୍ଡ ଓ ଏହାର ଏକମାତ୍ର ଲକ୍ଷ୍ୟ ଯଥାସମ୍ଭବ ଅଧିକ ସଂଖ୍ୟକ ୟୁକ୍ରେନ ଲୋକଙ୍କୁ ହତ୍ୟା କରିବା । ଏଥିପାଇଁ ରୁଷ ଉପରେ ସାନି କଟକଣା ଲଗାଯିବା ଉଚିତ । ରୁଷ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ୟୁକ୍ରେନକୁ ଅଧିକ ସଂଖ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ଯେଉଁ ଦେଶ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଦାନ କରିବ ସେହି ଦେଶକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ କରାଯିବ । ଏକ ରୁଷୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଇ ପାଶ୍ଚାତ୍ୟ ଦେଶମାନେ ଯୁଦ୍ଧକୁ ଆହୁରି ବଢାଇବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର